ଅସ୍ମିତା ଓ ଜାତୀୟତାର ପ୍ରତୀକ ଥିଲେ କପିଳେନ୍ଦ୍ର ଦେବ
“ଦିଗବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବ ଓ ଓଡ଼ିଆ ଜାତୀୟତା ଏବଂ ଅସ୍ମିତା” ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ
ଭୁବନେଶ୍ଵର, ୨୯/୬: ଉତ୍କଳ ସମ୍ମିଳନୀ ଆନୁକୁଲ୍ୟରେ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ରାଜ୍ୟାଭିଷେକ ଦିବସ ଜୁନ ୨୯ ତାରିଖରେ ଭୁବନେଶ୍ଵରର ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି। ପ୍ରଫେସର ଅଦ୍ଵୈତ କୁମାର ପାତ୍ରଙ୍କ ସଭାପତିତ୍ବରେ “ଦିଗବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବ ଓ ଓଡ଼ିଆ ଜାତୀୟତା ଏବଂ ଅସ୍ମିତା” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଐତିହାସିକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, ଭାରତ ସରକାରଙ୍କ ଶିକ୍ଷା ବିଭାଗର ସଚୀବ ଶ୍ରୀ ଅରୁଣ କୁମାର ରଥ, ଡାକ୍ତର ଇନ୍ଦ୍ରମଣି ଜେନା, ସାହିତ୍ୟିକ ସୁବ୍ରତ ପୃଷ୍ଟି ଓ ପ୍ରତ୍ନତତ୍ତ୍ଵବିଦ୍ ଡଃ ଅନାମ ବେହେରା ସମ୍ରାଟ କପିଳେନ୍ଦ୍ର ଦେବଙ୍କ କୃତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ କପିଳେନ୍ଦ୍ର ଦେବଙ୍କୁ ଅସ୍ମିତା ଓ ଜାତୀୟତାର ସର୍ବକାଳୀନ ପ୍ରତୀକ ରୂପେ ଅଭିହିତ କରି ଓଡ଼ିଶାବାସୀଙ୍କ ପାଇଁ ସେ ସ୍ମରଣୀୟ ହୋଇ ରହିବେ ମତ ପ୍ରକାଶ କରିଥିଲେ।ପ୍ରଫେସର ପଟ୍ଟନାୟକ ଆଲୋଚନା ମାଧ୍ୟମରେ କହିଥିଲେ ଯେ ରାଷ୍ଟ୍ରବାଦୀ କପିଳେନ୍ଦ୍ର ଦେବ ହେଉଛନ୍ତି ପ୍ରଥମ ସମ୍ରାଟ ଯିଏ ଘୋଷଣା କରିଥିଲେ ଯେ “ଆମର ରାଷ୍ଟ୍ର ହେଲା ଓଡ଼ିଶା, ଆମ ରାଷ୍ଟ୍ରର ଭାଷା ହେଲା ଓଡ଼ିଆ ଓ ରାଷ୍ଟ୍ରର ଦେବତା ହେଲେ ଶ୍ରୀଜଗନ୍ନାଥ।” ସଭା ଶେଷରେ ଉତ୍କଳ ସମ୍ମିଳନୀର ଉପସଭାପତି ନିରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।