ଏହି ଦିନ ପ୍ରକାଶ ପାଇବ CUET UG ରେଜଲ୍ଟ

ଘୋଷଣା କଲା NTA

ନୂଆଦିଲ୍ଲୀ, ୦୨/୦୭: ଚଳିତ ମାସ ୪ ତାରିଖରେ ପ୍ରକାଶ ପାଇବ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ପରିଚାଳିତ ସ୍ନାତକ ପାଠ୍ୟକ୍ରମ ପାଇଁ ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଫଳ। CUET UG 2025 ଫଳାଫଳ ପ୍ରକାଶ ପାଇବ ବୋଲି ଏନଟିଏ ଘୋଷଣା କରିଛି। ସର୍ବଭାରତୀୟ ସ୍ତରରେ କେନ୍ଦ୍ରୀୟ ଓ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା। ଏହା ଦେଶର ସର୍ବବୃହତ୍ ସ୍ନାତକ ପ୍ରବେଶିକା ପରୀକ୍ଷା।

ଛାତ୍ରଛାତ୍ରୀମାନେ ସରକାରୀ ୱେବସାଇଟ୍ exams.nta.ac.in/CUET-UG ରେ ଫଳାଫଳ ଦେଖି ପାରିବେ। ଛାତ୍ରଛାତ୍ରୀମାନେ ସେମାନଙ୍କର ଆପ୍ଲିକେସନ ନମ୍ବର ଏବଂ ଜନ୍ମ ତାରିଖ ଦେଇ ସେମାନଙ୍କର ସ୍କୋର ଯାଞ୍ଚ କରିପାରିବେ। NTA ସ୍ପଷ୍ଟ କରିଛି କୌଣସି ପେପର ପାଇଁ ପୁନଃମୂଲ୍ୟାୟନ କରାଯିବ ନାହିଁ।

ସୂଚନାଯୋଗ୍ୟ, ଚଳିତ ବର୍ଷ, CUET UG ପରୀକ୍ଷା ୧୫ ମଇରୁ ୨୪ ମଇ, ୨୦୨୫ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କିଛି ପ୍ରଶ୍ନପତ୍ର CBT (କମ୍ପ୍ୟୁଟର-ଆଧାରିତ ପରୀକ୍ଷା) ମୋଡ୍ ରେ ଏବଂ ଅନ୍ୟଗୁଡ଼ିକ ପେନ୍-ଆଣ୍ଡ-ପେପର୍ (ଖାତା ଓ କଲମ) ଫର୍ମାଟରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷା ଭାରତ ଏବଂ ବିଦେଶର ଅନେକ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା।

CUET UG ୨୦୨୫ ପାଇଁ ୧୩.୪ ଲକ୍ଷରୁ ଅଧିକ ପ୍ରାର୍ଥୀ ପଞ୍ଜିକରଣ କରିଥିଲେ।

ଏହି ପରୀକ୍ଷା ଇଂରାଜୀ, ହିନ୍ଦୀ, ବଙ୍ଗଳା, ଗୁଜରାଟୀ, କନ୍ନଡ, ମାଲାୟଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ ଏବଂ ଆସାମିୟା ସମେତ ୧୩ଟି ଭାଷାରେ ହୋଇଥିଲା।

ଫଳାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ଦେଶର ପ୍ରମୁଖ ବିଶ୍ୱ ବିଦ୍ୟାଳୟ ଯେପରିକି ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ, ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ, ଏବଂ ଜାମିଆ ମିଲିଆ ଇସଲାମିଆ ପରି ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଏବଂ ଅନେକ ରାଜ୍ୟ, ଡିମ୍ଡ୍ ଏବଂ ଘରୋଇ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରିବେ।