ସୁସ୍ଥ ହେଲେ ନବୀନ

ହସ୍ପିଟାଲରୁ ଡିସଚାର୍ଜ ହେଲେ

ମୁମ୍ବାଇ, ୦୭/୦୭: ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହେଲେ ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ସର୍ଭାଇକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର ପାଇଁ ଗତ ଜୁନ ମାସ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ ନବୀନ। ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୨୨ ତାରିଖରେ ସଫଳତାର ସହ ଅସ୍ତ୍ରୋପଚାର ହୋଇଥିଲା। ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସଫଳ ଅସ୍ତ୍ରୋପଚାର ହୋଇଥିଲା। ୪ ଘଣ୍ଟା ଧରି ସଫଳ ଅସ୍ତ୍ରୋପଚାର କରିଥିଲେ ପ୍ରସିଦ୍ଧ ସ୍ପାଇନ ସର୍ଜନ ରାଜଶେଖର ଓ ତାଙ୍କ ଟିମ୍।

ଏହା ପରେ ୨୩ ତାରିଖରେ ନବୀନଙ୍କ ଭାଇ ପ୍ରେମ ପଟ୍ଟନାୟକ ସୋସିଆଲ ମିଡିଆରେ କହିଥିଲେ ଯେ, ନବୀନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ କିଛି ପାଦ ନିଜେ ଚାଲି ପାରୁଛନ୍ତି ବୋଲି କହିବା ସହ ନବୀନଙ୍କ ଦୀର୍ଘାୟୁ କାମନା ପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ, ନବୀନଙ୍କ ଶୀଘ୍ର ସୁସ୍ଥ ହେବା ନେଇ ବିଜେଡ଼ିର ନେତା ଓ କର୍ମୀମାନେ ସମୂହ ଦୀପଦାନ କରିଥିଲେ। ନବୀନ ମୁମ୍ବାଇ ଯିବା ଦିନ ତାଙ୍କ ବାସଭବନ ଓ ଏୟାରପୋର୍ଟ ବହୁ ସଂଖ୍ୟକ ଶୁଭେଚ୍ଛୁଙ୍କ ଭିଡ଼ ଜମିଥିଲା। ସମସ୍ତେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।