ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା: ଉଚ୍ଚଶିକ୍ଷା ବିଭାଗର ଦୃଢ଼ କାର୍ଯ୍ୟାନୁଷ୍ଠାନ

ନିଲମ୍ବିତ ହେଲେ ଫକୀରମୋହନ କଲେଜର ଅଧ୍ୟକ୍ଷ ଓ ବି.ଇଡି ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର

ବାଲେଶ୍ବର, ୧୨/୦୭: ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଜି ଜଣେ ଛାତ୍ରୀ ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଉକ୍ତ କଲେଜର ଅଧ୍ୟକ୍ଷ ଓ  ବି.ଇଡି ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉଚ୍ଚଶିକ୍ଷା ବିଭାଗ।

ଅଧ୍ୟକ୍ଷ ଦିଲୀପ ଘୋଷ ଓ ବି.ଇଡି ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ସମୀର ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

କଲେଜର ପ୍ରିନ୍ସିପାଲ ଭାବରେ ଦିଲୀପ ଘୋଷ ତାଙ୍କର କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିବାରୁ, ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଅଧିକ ପଢନ୍ତୁ: ସହି ପାରିଲେନି ଅଧ୍ୟାପକଙ୍କ ଅକଥନୀୟ ଅତ୍ୟାଚାର: ନିଜକୁ ପେଟ୍ରୋଲ ଢାଳି ଜାଳି ଦେଲେ ଛାତ୍ରୀ

ଅଧିକ ପଢନ୍ତୁ:

ସେହିପରି ଅନ୍ୟ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଆଜି ଫକୀରମୋହନ କଲେଜରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାରେ ପ୍ରାଥମିକ ପ୍ରମାଣ ଆଧାରରେ ସମୀର ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ସୂଚନାଯୋଗ୍ୟ, ବାଲେଶ୍ୱର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବି.ଇଡି ଡିପାର୍ଟମେଣ୍ଟର ଜଣେ ଛାତ୍ରୀଙ୍କୁ ଏହି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ସମୀର ସାହୁ ଅକଥନୀୟ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଏହା ପରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ ଏବଂ କଲେଜର ପ୍ରିନ୍ସିପାଲଙ୍କ ନିକଟରେ ଜଣାଇଥିଲେ। ଏହା ପରେ କଲେଜରେ ଏକ ତଦନ୍ତ କମିଟି ଗଠନ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ନ୍ୟାୟ ମିଳିନଥିଲା ବରଂ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିଲା। ଯାହା ଫଳରେ ସେ ଆଜି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜାଳି ଦେଇଥିଲେ। ଏଥିରେ ତାଙ୍କ ଶରୀରର ୯୦ ପ୍ରତିଶତ ଅଂଶ ପୋଡି ଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରଥମେ ତାଙ୍କୁ ବାଲେଶ୍ଵର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ ଆଉ ଦୁଇ ଜଣ ଛାତ୍ର ମଧ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବାଲେଶ୍ଵର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।