ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ

‘ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସବୁ ପ୍ରକାର ଚେଷ୍ଟା କରିବ କଂଗ୍ରେସ’

ନୂଆଦିଲ୍ଲୀ, ୧୬/୦୭: ଫକୀରମୋହନ ବିଶ୍ବବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହୁତି ଘଟଣାରେ ପୂରା ଦେଶ ସ୍ତବ୍ଧ। ଏଚଓଡିଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ନ୍ୟାୟ ମାଗି ଥକି ଯିବା ପରେ କିପରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ସେ ନେଇ ସାରା ଦେଶରେ ଚର୍ଚ୍ଚା। ଏହାରି ଭିତରେ ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ରାହୁଲ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହୋଇଛନ୍ତି। ଫୋନ୍ କରି ରାହୁଲ କଥା ହେବା ସମ୍ପର୍କରେ ଏକ୍ସରେ ସୂଚନା ଦେଇଛନ୍ତି। ରାହୁଲ କହିଛନ୍ତି, “ବାଲେଶ୍ବରରେ ନ୍ୟାୟ ପାଇଁ ଲଢ଼ି ପ୍ରାଣ ହରାଇଥିବା ସାହସୀ ଝିଅର ବାପାଙ୍କ ସହ କଥା ହେଲି। ତାଙ୍କ କଣ୍ଠରେ ଝିଅର ଯନ୍ତ୍ରଣା, ସ୍ୱପ୍ନ ଏବଂ ସଂଘର୍ଷ ଅନୁଭବ କଲି। ତାଙ୍କୁ ଆଶ୍ୱସ୍ତି ଦେଇଛି ଯେ କଂଗ୍ରେସ ଦଳ ଏବଂ ମୁଁ ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ଅଛୁ। ଯାହା ଘଟିଛି ତାହା କେବଳ ଅମାନବୀୟ ଏବଂ ଲଜ୍ଜାଜନକ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ କ୍ଷତ। ଆମେ ଯେକୌଣସି ମୂଲ୍ୟରେ ପୀଡିତାଙ୍କ ପରିବାର ସମ୍ପୂର୍ଣ୍ଣ ନ୍ୟାୟ ପାଇବା ପାଇଁ ଚେଷ୍ଟା କରିବୁ।