ଭୁବନେଶ୍ୱର, ୧୭/୦୭: କଂଗ୍ରେସର ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ବନ୍ଦ ପାଳନରେ ସାଧାରଣ ଲୋକଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି। ଓଡ଼ିଶା ବନ୍ଦ ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଆନ୍ଦୋଳନ ସମୟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। କଂଗ୍ରେସ କର୍ମୀମାନେ ନ୍ୟାୟ ଦାବିରେ ଅଖ, ଚକ ବନ୍ଦ ରଖିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି।
ତେବେ ଭୁବନେଶ୍ୱରରେ ଅଭିନବ ବନ୍ଦ ପାଳନ ଦେଖାଦେଇଛି। ବନ୍ଦ ପାଳନ ବେଳେ ଅମାନିଆ ଲୋକଙ୍କୁ ଚକୋଲେଟ ଦେଇ ପାଳନକୁ ସ୍ୱାଗତ କରିବାକୁ ଲୋକଙ୍କୁ କଂଗ୍ରେସ କର୍ମୀମାନେ ବୁଝାଇବାରେ ଦେଖା ଦେଇଛି।
ବାଲେଶ୍ବରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଛାତ୍ରୀ ଆତ୍ମାହୁତି ମୃତ୍ୟୁବରଣ କରିବା ଘଟଣାକୁ ବିରୋଧ କରି ଏବଂ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ କଂଗ୍ରେସ ଏହି ଆନ୍ଦୋଳନକୁ ଓହ୍ଲାଇଛି।
କଂଗ୍ରେସର ସଭାପତି ଭକ୍ତ ଦାସ କହିଛନ୍ତି, “ଏହା ନ୍ୟାୟର ଲଢେ଼ଇ। ଆଜି ସମଗ୍ର ରାଜ୍ୟରେ ବନ୍ଦ ପାଳନ କରାଯାଉଛି। ସବୁଠି ଦୋକାନ, ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ଲୋକେ ସ୍ୱତଃପ୍ରବୃତ ଭାବେ ସମର୍ଥନ କରୁଛନ୍ତି। ପୋଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହେବେ। ପୀଡ଼ିତାଙ୍କୁ ନ୍ୟାୟ ଦିଅନ୍ତୁ ଆମେ ଆନ୍ଦୋଳନ ପ୍ରତ୍ୟାହାର କରିନେବୁ।”
ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ୱିନ ସିଟିରେ ୮୨ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଭୁବନେଶ୍ୱରରେ ୬୦ ଓ କଟକରେ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସହରକୁ ଜଗିଛି ଏଆଇ ଓ ହାଇ ସର୍ଭିଲାନ୍ସ ସିଷ୍ଟମ।