ଆଲାସ୍କାରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ

ସୁନାମୀ ଆଶଙ୍କା, ଆଲର୍ଟ ଜାରି

ଆଲାସ୍କା, ୧୭/୦୭: ବୁଧବାର ଦିନ ଆଲାସ୍କା ଉପଦ୍ୱୀପରେ ରିକ୍ଟର ସ୍କେଲରେ ୭.୩ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଏହି ଶକ୍ତିଶାଳୀ ଭୂମିକମ୍ପର ଗଭୀରତା ୧୦ କିଲୋମିଟର ବା ୬.୨୧ ମାଇଲ ପର୍ଯ୍ୟନ୍ତ ଥିଲା। ଆମେରିକାର ଭୂତତ୍ତ୍ୱ ସର୍ଭେ ରିପୋର୍ଟ କରିଛି ଯେ ଆଲାସ୍କା ଉପଦ୍ୱୀପର ପୋପଫ୍ ଦ୍ୱୀପର ସ୍ୟାଣ୍ଡ ପଏଣ୍ଟ ନିକଟରେ ସ୍ଥାନୀୟ ସମୟ ଅପରାହ୍ନ ୧୨:୩୦ ରେ ଭୂମିକମ୍ପ ହୋଇଥିଲା।

ଭୂମିକମ୍ପ ପରେ, ଆମେରିକା ସୁନାମି ୱାର୍ଣ୍ଣିଂ ସିଷ୍ଟମ ଉପକୂଳ ଆଲାସ୍କା ପାଇଁ ସୁନାମି ସତର୍କତା ଜାରି କରିଛି। କର୍ତ୍ତୃପକ୍ଷ ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ରହିବାକୁ ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି।

ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ ପ୍ରଶାନ୍ତ ମହାସାଗର ଏବଂ ଉତ୍ତର ଆମେରିକା ପ୍ଲେଟ ମଧ୍ୟରେ ଥିବା ସବଡକ୍ସନ ଜୋନ୍ ଇଣ୍ଟରଫେସ୍ ଉପରେ କିମ୍ବା ନିକଟରେ ଥ୍ରଷ୍ଟ ଫଲ୍ଟିଂ ଯୋଗୁଁ ସ୍ୟାଣ୍ଡ ପଏଣ୍ଟର ଦକ୍ଷିଣରେ ଭୂମିକମ୍ପ ହୋଇଥିଲା।

ଆଲାସ୍କାର ହୋମରରୁ ୟୁନିମାକ୍ ପାସ୍ ପର୍ଯ୍ୟନ୍ତ, ପ୍ରାୟ ୭୦୦ ମାଇଲ ଯାଏଁ ସୁନାମୀ ସତର୍କତା ଜାରି କରାଯାଇଛି।

ଆଲାସ୍କା ହେଉଛି ଯୁକ୍ତରାଷ୍ଟ୍ରର ସବୁଠାରୁ ଭୂକମ୍ପ ପ୍ରବଣ ରାଜ୍ୟ। ଯାହା ବିଶ୍ୱର ପ୍ରାୟ ୧୧% ଏବଂ ଆମେରିକାରେ ୧୭.୫% ଭୂମିକମ୍ପ ଏହିଠାରେ ହୋଇଥାଏ।

୧୯୬୪ ମସିହାରେ ଆଲାସ୍କାରେ ଏକ ବଡ ଧରଣର ଭୂମିକମ୍ପ ହୋଇଥିଲା। ମହା ଆଲାସ୍କା ଭୂମିକମ୍ପର ତୀବ୍ରତା ୯.୨ ଥିଲା ଏବଂ ଏହା ଏବେ ବି ଉତ୍ତର ଆମେରିକାର ସବୁଠାରୁ ଶକ୍ତିଶାଳୀ ଏବଂ ବିଶ୍ୱବ୍ୟାପୀ ଦ୍ୱିତୀୟ ବୃହତ ଭୂମିକମ୍ପ।