ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ୨୦୨୪-୨୫: ୧୦ ଶ୍ରେଷ୍ଠ ସହର ମଧ୍ୟରେ ଭୁବନେଶ୍ୱର

ଆସିକା ଓ ଚିକିଟି ଦ୍ୱିତୀୟ ଶ୍ରେଷ୍ଠ ସହର

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୮/୦୭: ଭାରତ ସରକାରଙ୍କ ଆବାସନ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (MoHUA) ଦ୍ୱାରା ପରିଚାଳିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ରିପୋର୍ଟରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଦେଶର ଶ୍ରେଷ୍ଠ ୧୦ଟି ସ୍ୱଚ୍ଛ ସହର ମଧ୍ୟରେ ସ୍ଥାନ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ଭୁବନେଶ୍ୱର ୯ମ ସ୍ଥାନ ହାସଲ କରିଛି। ଏହା ଗତ ବର୍ଷ (୨୦୨୩-୨୪) ତୁଳନାରେ ଏକ ଉଲ୍ଲେଖନୀୟ ଉନ୍ନତି, ଗତବର୍ଷ ଭୁବନେଶ୍ୱର ୩୪ତମ ସ୍ଥାନରେ ଥିଲା।ଭୁବନେଶ୍ୱରକୁ “ପ୍ରମିଜିଙ୍ଗ ସ୍ୱଚ୍ଛ ସହର” ଭାବେ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ପୁରସ୍କାର ସମାରୋହ ଜୁଲାଇ ୧୭ରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଓଡ଼ିଶାକୁ ମଧ୍ୟ ସ୍ୱଚ୍ଛ ସହର ଭାବେ ସମ୍ମାନିତ କରାଯାଇଥିଲା। ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସମ୍ମାନ ପ୍ରଦାନ କରାଯାଇଛି।

ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ଦୁଇଟି ସହର, ଆସିକା ଏବଂ ଚିକିଟି, ମଧ୍ୟ ସ୍ୱଚ୍ଛ ସର୍ବେକ୍ଷଣରେ ସ୍ଥାନ ପାଇଛନ୍ତି। ୨ ଲକ୍ଷରୁ କମ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ଗୋଆର ପାନାଜି ପ୍ରଥମ ସ୍ଥାନରେ ରହିଥିବା ବେଳେ ଆସିକା ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ୨୦ ହଜାରରୁ କମ ଜନସଂଖ୍ୟା ବର୍ଗରେ ଛତିଶଗଡ଼ର ବିଲହା ପ୍ରଥମ ସ୍ଥାନରେ ରହିଥିବା ବେଳେ ଚିକିଟି ଦ୍ୱିତୀୟ ସ୍ଥାନ ପାଇଛି। ଏହା ଓଡ଼ିଶାର ସ୍ୱଚ୍ଛତା ପ୍ରତି ରାଜ୍ୟ ସରକାରଙ୍କ ଏବଂ ସ୍ଥାନୀୟ ପ୍ରଶାସନର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି।