କଟକଣା ଲଗାଇ ଘଣ୍ଟାକ ପରେ ପ୍ରତ୍ୟାହାର କଲା ରେଭେନ୍ସା ବିଶ୍ଵବିଦ୍ୟାଳୟ

ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସନ୍ଧ୍ୟା ସାଢ଼େ ୫ଟା ପୂର୍ବରୁ କ୍ୟାମ୍ପସ ଛାଡ଼ିବାକୁ ଦେଇଥିଲା ନିର୍ଦ୍ଦେଶ

କଟକ, ୧୮/୦୭: ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରଶାସନ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ଏକ କଟକଣା ଜାରି କରିଥିଲା, ଯେଉଁଥିରେ ସେମାନଙ୍କୁ ସନ୍ଧ୍ୟା ୫:୩୦ ପୂର୍ବରୁ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶନାମା ସୁରକ୍ଷା ଦୃଷ୍ଟିରୁ ଜାରି କରାଯାଇଥିବା କୁହାଯାଇଥିଲେ ମଧ୍ୟ, ଏହା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ବିରୋଧ ଓ ସମାଲୋଚନାର କାରଣ ହୋଇଥିଲା।

ଛାତ୍ରୀ ଓ ଅଧ୍ୟାପିକାମାନେ ଏହି ନିୟମକୁ ଅଯୌକ୍ତିକ ଏବଂ ସ୍ୱାଧୀନତା ଉପରେ କଟକଣା ବୋଲି ଅଭିଯୋଗ କରିଥିଲେ। ଯେଉଁଥିପାଇଁ ଏହି ନିର୍ଦ୍ଦେଶନାମା ଜାରି ହେବାର କିଛି ଘଣ୍ଟା ମଧ୍ୟରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏହାକୁ ପ୍ରତ୍ୟାହାର କରି ନେଇଛି।

ସୂଚନାଯୋଗ୍ୟ, ଫକୀରମୋହନ ବିଶ୍ବବିଦ୍ୟାଳୟରେ ବି.ଇଡି ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଶିକ୍ଷାନୁଷ୍ଠାନରେ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହା ପରେ ଆଗୁଆ ସଚେତନ ହୋଇ ରେଭେନ୍ସା ବିଶ୍ଵବିଦ୍ୟାଳୟ ଏହି ପଦକ୍ଷେପ ନେଇଥିଲା।