ଗଭୀର ନିଦ୍ରାରୁ କେବେ ଜାଗ୍ରତ ହେବେ ସରକାର: ବଳଙ୍ଗା ଘଟଣାକୁ ନବୀନଙ୍କ ତୀବ୍ର ନିନ୍ଦା

‘ସରକାରଙ୍କ ଛତ୍ରଛାୟାରେ ଅପରାଧୀମାନେ ସାହସୀ ହୋଇଛନ୍ତି’

ପୁରୀ, ୧୯/୦୭: ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ଅଞ୍ଚଳରେ ନାବାଳିକା ପୋଡ଼ି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ କହିଛନ୍ତି, “ପୁରୀ ଜିଲ୍ଲାର ବଳଙ୍ଗା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପୋଡ଼ି ଦିଆଯାଇଥିବା ଜାଣି ମୁଁ ଗଭୀର ମର୍ମାହତ। ଦିବାଲୋକରେ ତାଙ୍କୁ ହତ୍ୟା କରିବାକୁ ଏହି ପ୍ରୟାସ କରାଯାଇଥିଲା। ମୁଁ ଏହି ଭୟଙ୍କର କାର୍ଯ୍ୟକୁ ଦୃଢ଼ ନିନ୍ଦା କରୁଛି।”

ଏଫଏମ ଛାତ୍ରୀ ଆତ୍ମହୁତି ଘଟଣାକୁ କେନ୍ଦ୍ର କରି ନବୀନ କହିଛନ୍ତି, “ମାସେ ତଳେ ଗୋପାଳପୁରରେ ଘଟିଥିବା ଭୟଙ୍କର ଘଟଣା ଓ ପରେ ଏଫଏମ କଲେଜରେ ଜଣେ ଯୁବତୀ ନିଜକୁ ଜାଳି ଦେବାର ଭୟଙ୍କର ଘଟଣାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହା ଘଟିଛି। ମହିଳାମାନଙ୍କ ବିରୁଦ୍ଧରେ ଏପରି ଘଟଣା ଏବେ ପ୍ରତିଦିନ ସାରା ଓଡିଶାରେ ଦେଖିବାକୁ ମିଳୁଛି।”

ବର୍ତ୍ତମାନର ବିଜେପି ସରକାରଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି, ସାମ୍ପ୍ରତିକ ଘଟୁଥିବା ଘଟଣା ଗୁଡ଼ିକ ଶାସନର ବ୍ୟବସ୍ଥା ଗତ ବିଫଳତାକୁ ସୂଚିତ କରୁଛି। ଏହା ଦର୍ଶାଉଛି ଯେ ବର୍ତ୍ତମାନ ସରକାରଙ୍କ ଛତ୍ରଛାୟାରେ ଅପରାଧୀମାନେ ସାହସୀ ହୋଇଛନ୍ତି ଏବଂ ଦଣ୍ଡ ପାଇବା ପାଇଁ ଚିନ୍ତିତ ନୁହଁନ୍ତି। ସରକାରୀ ଉଦାସୀନତା ଓ ଅପରାଧୀ ପୃଷ୍ଠପୋଷକତା ସେମାନଙ୍କୁ ସୁହାଉଛି।

ରାଜ୍ୟ ବର୍ତ୍ତମାନ ମହିଳାମାନଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି। ଓଡ଼ିଶା ସରକାର କେବେ ଗଭୀର ନିଦ୍ରାରୁ ଉଠି ଅପରାଧୀମାନଙ୍କୁ ଗିରଫ କରିବା ପାଇଁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ ଏବଂ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ସରକାର ପଦକ୍ଷେପ ନେବେ କି” ବୋଲି ପ୍ରଶ୍ନ କରିଛନ୍ତି।”