ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡ଼ି ସାଂସଦ ଟିମ୍

ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଲେ

ପୁରୀ, ୨୧/୦୭: ପୁରୀ ଜିଲ୍ଲାର ବଳଙ୍ଗା ନାବାଳିକା ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଭେଟିବା ପାଇଁ ସୋମବାର ବିଜେଡି ସାଂସଦମାନେ ଦିଲ୍ଲୀ ଏମ୍ସ ଗସ୍ତ କରିଥିଲେ। ସାଂସଦମାନେ ପୀଡ଼ିତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ ଏବଂ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ। ବିଜେଡି ସାଂସଦ ପ୍ରତିନିଧି ଦଳରେ ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ ଏବଂ ନିରଞ୍ଜନ ବିଶି ସାମିଲ ଥିଲେ।

ସୂଚନାଯୋଗ୍ୟ, ଶନିବାର ସକାଳେ ବଳଙ୍ଗାର ଜଣେ ନାବାଳିକାଙ୍କୁ ତିନି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ପ୍ରଥମେ ପିପିଲି କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।

ରବିବାର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏୟାରଲିଫ୍ଟ ମାଧ୍ୟମରେ ଦିଲ୍ଲୀକୁ ନିଆଯାଇଥିଲା। ରବିବାର ଜାରି ହୋଇଥିବା ହସ୍ପିଟାଲ ବୁଲେଟିନରେ କୁହାଯାଇଥିଲା ଯେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।