ଜଗତସିଂହପୁରରେ ଲଜ୍ଜା: ଯୁବତୀଙ୍କୁ ଗଣଦୁଷ୍କର୍ମ

ଜଣେ ଗିରଫ, ଜଣେ ଫେରାର

ତଦନ୍ତ କରୁଛି ୩ ଜଣିଆ ଟିମ୍

ଜଗତସିଂହପୁର, ୨୨/୦୭: ଜଗତସିଂହପୁରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଜଣା ପଡିଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏସପି ଭବାନୀ ଶଙ୍କର ଉଦ୍ଗାତା କହିଛନ୍ତି ଯେ, ଦୁଇ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ କଟକରୁ ଗିରଫ କରାଯାଇଛି। ଆଉ ଜଣଙ୍କୁ ଖୋଜା ଚାଲିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି।

ସୂଚନା ଅନୁଯାୟୀ, ସଦର ମହକୁମାରୁ ୫ କିଲୋମିଟର ଦୂରରେ ଚନ୍ଦଗଡ଼ ଗାଁରେ ପୀଡିତା ଗତ କାଲି ରାତିରେ ତାଙ୍କ ସାଙ୍ଗଙ୍କ ସହିତ ରାତି ପ୍ରାୟ ୮ଟା ବେଳେ ଯାଉଥିବା ବେଳେ ଦୁଇ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ଜଣେ ଯୁବତୀ ସେଠାରୁ ଖସି ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପୀଡିତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ପୀଡିତା କୌଣସି ପ୍ରକାରେ ଘଟଣାସ୍ଥଳରୁ ଖସି ପଳାଇ ତାଙ୍କ ଘରକୁ ପଳାଇ ଯାଇଥିଲେ। ସେତେବେଳେ ତାଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା ଏବଂ ତାଙ୍କ ଘରେ ପହଞ୍ଚିବା ପରେ ସେ ଅଚେତ ହୋଇଯାଇଥିଲେ। ତାଙ୍କ ପରିବାର ସଦସ୍ୟ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଇ ଭର୍ତ୍ତି କରିଥିଲେ।

ତା’ପରେ ତାଙ୍କ ବାପା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରିବା ପାଇଁ ଏକ ୩ ଜଣିଆ ଟିମ୍ ଗଠନ କରିଥିଲା। ଜଗତସିଂହପୁର SP, IIC ଏବଂ ସଦର ବିଧାୟକ ଝିଅଟିକୁ ଭେଟିଥିଲେ।