ଗିରଫ ହେଲେ କୋଟିପତି ଡିଏଫଓ

ଆୟଠୁ ଅଧିକ ସମ୍ପତ୍ତି ଠାବ

କେନ୍ଦୁଝର, ୨୨/୦୭: କେନ୍ଦୁଝରର କେନ୍ଦୁ ପତ୍ର ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ନିତ୍ୟାନନ୍ଦ ନାୟକଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। ଦୁଇ ଦିନ ଧରି ଚାଲିଥିବା ତଦନ୍ତ ପରେ ତାଙ୍କ ବିରୋଧରେ ଦୁର୍ନୀତିର ଯଥେଷ୍ଟ ପ୍ରମାଣ ମିଳିଛି। ଏବଂ ଆୟଠାରୁ ଅଧିକ ସମ୍ପତ୍ତି ଠାବ କରିଥିବାର ଜଣା ପଡିଛି।

ତଲାସ ସମୟରେ, ଭିଜିଲାନ୍ସ ଅନୁଗୁଳରେ ମୋଟ ୯ ହଜାର ବର୍ଗଫୁଟ ପରିମିତ ଏକ ବହୁମହଲା କୋଠା, ଅନୁଗୁଳର ଛେଣ୍ଡିପଦାରେ ଏକ ଫାର୍ମହାଉସ୍, ୧୧୫ଟି ମୂଲ୍ୟବାନ ପ୍ଲଟ୍, ୨୦୦ ଗ୍ରାମ ସୁନା, ୧୦.୨୫ ଲକ୍ଷ ଟଙ୍କା ନଗଦ, ୫୦.୩୮ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ୟାଙ୍କ ଜମା ଏବଂ ଦୁଇଟି ଚାରି ଚକିଆ ଯାନ ଜବତ କରିଥିଲା। ୧.୫ ଏକର ଜମିରେ ଏହି ଫାର୍ମହାଉସରେ ଏକ ଆଉଟହାଉସ୍, ପୋଖରୀ, ବୋରୱେଲ୍ ଏବଂ ବହୁ ଗୁଡ଼ିଏ ଗଛ ରହିଛି।