ନୂଆଦିଲ୍ଲୀ, ୨୮/୦୭: ପହଲଗାମ ଆକ୍ରମଣର ତିନି ମାସରୁ ଅଧିକ ସମୟ ପରେ, ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଏହି ହତ୍ୟାକାଣ୍ଡ ପଛରେ ଥିବା ତିନି ଜଣ ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ସୂତ୍ରରୁ ଜଣାପଡିଛି।
ତିନି ଜଣ ଟିଆରଏଫ ଆତଙ୍କବାଦୀ ଥିଲେ। ସେମାନଙ୍କ ଉପସ୍ଥିତି ବିଷୟରେ ସଶସ୍ତ୍ର ବାହିନୀ ସୂଚନା ପାଇବା ପରେ ଶ୍ରୀନଗରର ମହାଦେବ ପର୍ବତ ନିକଟବର୍ତ୍ତୀ ଲିଡୱାସ ଅଞ୍ଚଳରେ ଥିବା ଦାଚିଗାମ ଜାତୀୟ ପାର୍କ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା।
ସେନା, ଜାମ୍ମୁ-କାଶ୍ମୀର ପୋଲିସ ଏବଂ ସିଆରପିଏଫ ଦ୍ୱାରା ‘ଅପରେସନ ମହାଦେବ’ ନାମକ ଏକ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା। କିଛି ସମୟ ପାଇଁ ଗୁଳି ବିନିମୟ ପରେ, ସୁରକ୍ଷା କର୍ମୀମାନେ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ସୂତ୍ର ଅନୁଯାୟୀ ଦୁଇ ଦିନ ପୂର୍ବରୁ ଦାଚିଗାମର ଜଙ୍ଗଲରେ ସେନା ସ୍ଥାନୀୟ ଲୋକମାନେ ଆତଙ୍କବାଦୀଙ୍କ ବିଷୟରେ ସୂଚନା ଦେଇଥିଲେ। ଏବେ ବି ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି। ତେଣୁ ସର୍ଚ୍ଚ ଅପରେସନ ଜାରି ରହିଛି।