ପ୍ରକୃତିର ତାଣ୍ଡବ: ବାଦଲ ଫଟା ବର୍ଷାରେ ଛାରଖାର ଉତ୍ତରାଖଣ୍ଡ

୪ ମୃତ, ୫୦ରୁ ଉର୍ଦ୍ଧ୍ୱ ନିଖୋଜ

ଉତ୍ତରକାଶୀ, ୫/୮: ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ। ବାଦଲ ଫଟା ବର୍ଷା ଯୋଗୁଁ ପ୍ରକୃତି ଦେଖିଛି ବଡ଼ ବିପତ୍ତି। ବାଦଲଫଟା ବର୍ଷାରେ ଖୀର ଗଙ୍ଗା ନଦୀରେ ଅବବାହିକାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ମଙ୍ଗଳବାର ଦିନ ପ୍ରାୟ ୧ଟା ୪୫ ମିନିଟ୍ ସମୟରେ ହର୍ସିଲସ୍ଥିତ ଭାରତୀୟ ସେନା ଶିବିରରୁ ପ୍ରାୟ ୪ କିଲୋମିଟର ଦୂରରେ ଉତ୍ତରକାଶୀର ଧରାଲି ଗ୍ରାମରେ ବାଦଲ ଫଟା ବର୍ଷା ହେବା ଯୋଗୁଁ ଭଯଙ୍କର ବନ୍ୟା ସୃଷ୍ଟି ହୋଇଛି। ଏଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ୟା ହେବା ଫଳରେ ଗଙ୍ଗୋତ୍ରୀ ଧାମକୁ ସବୁ ରାସ୍ତା ସଂଯୋଗ ବିଚ୍ଛିନ୍ନ କରିଦେଇଛି।

ହର୍ସିଲ ଅଞ୍ଚଳରେ ଖୀର ଗଡ଼ ଡ୍ରେନ୍ ରେ ପାଣିର ସ୍ରୋତ ବଢିବା ଫଳରେ କ୍ଷୟକ୍ଷତି ବହୁତ ଅଧିକ ହୋଇଛି। ଉତ୍ତରକାଶୀ ପୋଲିସ, SDRF, NDRF, ସେନା ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।  ଭୂସ୍ଖଳନ ହୋଇଥିବା ସ୍ଥାନରେ ପ୍ରାୟ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି, “ଧାରଲି (ଉତ୍ତରକାଶି)ରେ ବାଦଲ ଫଟା ବର୍ଷା ଯୋଗୁଁ ହୋଇଥିବା ପ୍ରବଳ କ୍ଷୟକ୍ଷତିର ଖବର ଅତ୍ୟନ୍ତ ଦୁଃଖଦ। SDRF, NDRF, ଜିଲ୍ଲା ପ୍ରଶାସନ ଏବଂ ଅନ୍ୟାନ୍ୟ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କାର୍ଯ୍ୟ କରୁଛନ୍ତି। ମୁଁ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି”।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ଧାମିଙ୍କୁ ସମସ୍ତ ସହାୟତାର ଆଶ୍ୱାସନା ଦେବା ପରେ ଭାରତ-ତିବ୍ଦତୀୟ ସୀମା ପୋଲିସର ଏକ ୧୬ ଜଣିଆ ଦଳ ଧରାଲିରେ ପହଞ୍ଚି ସାରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, “ମୁଁ ଉତ୍ତରକାଶୀର ଧରାଲିରେ ଘଟିଥିବା ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ପ୍ରତି ମୋର ସମବେଦନା ଜଣାଉଛି। ମୁଁ ସମସ୍ତ ପ୍ରଭାବିତଙ୍କ ମଙ୍ଗଳ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। ମୁଁ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମିଙ୍କ ସହ କଥା ହୋଇ ପରିସ୍ଥିତିର ସମୀକ୍ଷା କରିଛି। ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ଉଦ୍ଧାର ଦଳ ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି।”

ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ, ରାତିସାରା ବର୍ଷା ଯୋଗୁଁ ସୋମବାର ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଥିଲା। ହରିଦ୍ୱାରରେ ଗଙ୍ଗା ଏବଂ କାଳୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ପଡ଼ୋଶୀ ହିମାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। କେବଳ ସୋମବାର ଦିନ, ବର୍ଷା ଯୋଗୁଁ ଏକ ଜାତୀୟ ରାଜପଥ ସମେତ ୩୧୦ଟି ରାସ୍ତା ବନ୍ଦ ହୋଇଯାଇଥିଲା। ମଣ୍ଡି ଜିଲ୍ଲାରେ ଏକ ଗାଡ଼ି ଘାଟିରେ ଖସି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଶିମଲା ନିକଟସ୍ଥ ଅଞ୍ଚଳରେ ମଧ୍ୟ ରବିବାର ରାତିରେ ପାନ୍ଥଘାଟିରେ ଏକ ବଡ଼ ଭୂସ୍ଖଳନ ହୋଇଥିଲା। ଭାରତୀୟ ପାଣିପାଗ ବିଭାଗ (IMD) ସୋମବାର ଏବଂ ମଙ୍ଗଳବାର ଉଭୟ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଥିଲା।

ମିଳିଥିବା ସୂଚନା ମୁତାବକ ଚଳିତ ମୌସୁମୀ ଋତୁରେ ହିମାଚଳ ପ୍ରଦେଶରେ ଏପର୍ଯ୍ୟନ୍ତ ଅତି କମରେ ୧୦୩ ଜଣଙ୍କର ମୃତ୍ୟୁ ହୋଇଛି। ୩୬ ଜଣ ଏବେ ବି ନିଖୋଜ ଅଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ବୁଡ଼ିଯିବା ଯୋଗୁଁ ୨୦, ଦୁର୍ଘଟଣା ଯୋଗୁଁ ୧୯, ବାଦଲ ଫଟା ବର୍ଷା ଯୋଗୁଁ ୧୭, ଆକସ୍ମିକ ବନ୍ୟା ଯୋଗୁଁ ୮ ଏବଂ ଭୂସ୍ଖଳନ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି।