ରାହୁଲଙ୍କୁ ୭ ଦିନର ମହଲତ
ପ୍ରମାଣ ଦିଅ ନହେଲେ କ୍ଷମା ମାଗ
‘ଭୋଟ ଚୋରି’ ପରି ଅପଶବ୍ଦ ବ୍ୟବହାର କରି ଭ୍ରମିତ କରାଯାଉଛି: CEC
ନୂଆଦିଲ୍ଲୀ, ୧୭/୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ “ଭୋଟ ଚୋରି” ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ରବିବାର ନିର୍ବାଚନ ଅନିୟମିତତା ଅଭିଯୋଗ ଉପରେ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ରଖିଛନ୍ତି। ଏହା ସହ ରାହୁଲ ଯେଉଁ ଅଭିଯୋଗ ଆଣିଛନ୍ତି, ତା ଉପରେ ପ୍ରମାଣ ସହିତ ଏକ ଶପଥପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନ ହେଲେ ସାର୍ବଜନୀନ କ୍ଷମା ମାଗିବାକୁ କହିଛନ୍ତି। ଏଣୁ ରାହୁଲଙ୍କୁ ସାତ ଦିନ ମହଲତ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ବିନା ପ୍ରମାଣରେ ଏପରି ସମସ୍ତ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି।
ଏକ ସତ୍ୟପାଠ ଦେବାକୁ ପଡିବ କିମ୍ବା ଦେଶ ସମ୍ମୁଖରେ କ୍ଷମା ପ୍ରାର୍ଥନା କରିବାକୁ ପଡିବ। ତୃତୀୟ ବିକଳ୍ପ ନାହିଁ। ଯଦି ସତ୍ୟପାଠ ୭ ଦିନ ମଧ୍ୟରେ ନ ଦିଆଯାଏ, ତାହାଲେ ଏହାର ଅର୍ଥ ହେଉଛି ଯେ ଏହି ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି।
ଯେତେବେଳେ ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ଭାରତର ଭୋଟରମାନଙ୍କୁ ଟାର୍ଗେଟ କରି ରାଜନୀତି କରାଯାଉଛି। କିନ୍ତୁ ନିର୍ବାଚନ କମିଶନ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ ନିର୍ବାଚନ କମିଶନ ନିର୍ଭୀକ ଭାବରେ ଗରିବ, ଧନୀ, ବୃଦ୍ଧ, ମହିଳା, ଯୁବକ ସମେତ ସମସ୍ତ ବର୍ଗ ଏବଂ ସମସ୍ତ ଧର୍ମର ସବୁ ଭୋଟରଙ୍କ ସହିତ ପଥର ଭଳି ଠିଆ ହୋଇଛି।
ନିର୍ବାଚନ କମିଶନଙ୍କର କେହି ପକ୍ଷ କିମ୍ବା ବିପକ୍ଷ ଦଳ ନାହାନ୍ତି। ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରନ୍ତି ନାହିଁ। ବିହାରର ୭ କୋଟିରୁ ଊର୍ଦ୍ଧ୍ବ ମତଦାତା କେବେ ପ୍ରଶ୍ନ କରି ନାହାନ୍ତି। ଭୋଟ ଚୋରି ପରି ଅପଶଦ୍ଦ ବ୍ୟବହାର କରି ଭ୍ରମିତ କରାଯାଉଛି। ସାମ୍ବିଧାନିକ ଅଧିକାରରୁ ନିର୍ବାଚନ ଆୟୋଗ ପଛଘୁଞ୍ଚା ଦେବେ ନାହିଁ। ମିଥ୍ୟା ଆରୋପରେ କେବେ ନିର୍ବାଚନ ଆୟୋଗ ଡରିଯିବେ ନାହିଁ।
ବିହାରରେ SIR ଚାଲିଛି, ୧.୬ ଲକ୍ଷ ବୁଥସ୍ତରୀୟ ଏଜେଣ୍ଟ ଡ୍ରାଫ୍ଟ ତାଲିକା କରିଛନ୍ତି। ସମସ୍ତ ରାଜନୈତିକ ଦଳର ବୁଥସ୍ତରୀୟ ଏଜେଣ୍ଟ ଯାଞ୍ଚ କରି ଦସ୍ତଖତ କରିଛନ୍ତି। ଭୋଟରମାନେ ମୋଟ ୨୮,୩୭୦ ଦାବି ଏବଂ ଆପତ୍ତି ଦାଖଲ କରିଛନ୍ତି। ସଂଶୋଧନ ଶେଷ ହେବା ପାଇଁ ଆହୁରି ୧୫ ଦିନ ବାକି ରହିଛି।
ଅନେକ ଭୋଟରଙ୍କ ଫଟୋ ମିଡିଆରେ ସେମାନଙ୍କ ଅନୁମତି ବିନା ବାହାରିଛି। ସେମାନଙ୍କ ଫଟୋ ଦେଖାଇ ଅଭିଯୋଗ କରାଯାଇଛି, ହେବା କଥା ନୁହେଁ। ଲୋକସଭା ନିର୍ବାଚନରେ ୧ କୋଟିରୁ ଊର୍ଦ୍ଧ୍ବ କର୍ମଚାରୀ ସାମିଲ୍ ଥିଲେ। ୧୦ ଲକ୍ଷରୁ ଊର୍ଦ୍ଧ୍ବ ବୁଥ୍ ଏଜେଣ୍ଟ, ୨୦ ଲକ୍ଷରୁ ଊର୍ଦ୍ଧ୍ବ ପୁଲିଂ ଏଜେଣ୍ଟ ସାମିଲ ଥିଲେ। ଏତେ ସ୍ବଚ୍ଛତା ଭିତରେ ଭୋଟ୍ ଚୋରି ସମ୍ଭବ କି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ECI। ଡବଲ ଭୋଟ୍ ନେଇ ଅଭିଯୋଗ ଆସୁଛି, ପ୍ରମାଣ ମାଗିଲେ ମିଳୁନି। ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ରାଜନୀତି ଉଦ୍ୟମ ହେଉଛି। ତେଣୁ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ସବୁ ବର୍ଗର ଭୋଟରଙ୍କ ଆମେ ରହିଛୁ। ରେଜଲ୍ଟ ପ୍ରକାଶର ୪୫ ଦିନ ଭିତରେ ଅଭିଯୋଗ ଥିଲେ କୋର୍ଟ ଯାଇପାରିବେ। ୪୫ ଦିନ ପରେ ଅଭିଯୋଗ କଲେ ତାହା ଭିତ୍ତିହୀନ ବୋଲି ଧରାଯିବ। ଏତେ ଦିନ ପରେ ଯେଉଁ ଅଭିଯୋଗ ଆସୁଛି, ଲୋକେ ତାହା ବୁଝିପାରୁଥିବେ।
ସେହିପରି କେଉଁ ରାଜ୍ୟରେ କେବେ SIR ହେବ ତାହା ୩ ଜଣିଆ କମିଶନ ନେବେ ନିଷ୍ପତ୍ତି। ପଶ୍ଚିମବଙ୍ଗ ହେଉ ବା ଅନ୍ୟ କେଉଁ ରାଜ୍ୟ ହେଉ ତାହା କମିଶନ ସ୍ଥିର କରିବ ବୋଲି ସିଇସି କହିଛନ୍ତି।