ପୁଣି ବ୍ରାଜିଲ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଲୁଲା ଦା ସିଲ୍‌ଭା

ଫ୍ଲାଭିଓ ବୋଲ୍‌ସୋନାରୋଙ୍କୁ ହରାଇ ଲୁଲା ଚତୁର୍ଥ ଥର ରାଷ୍ଟ୍ରପତି ନିର୍ବାଚିତ

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବ୍ରାସିଲିଆ, ୨୬/୧୦: ବ୍ରାଜିଲ୍‌ର ରାଷ୍ଟ୍ରପତି ନିର୍ବାଚନରେ ପୁଣି ବାଜି ମାରିଛନ୍ତି ବାମପନ୍ଥୀ ନେତା ଲୁଲା ଦା ସିଲ୍‌ଭା। ଅକ୍ଟୋବର ୨୫ରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ରେ ଦକ୍ଷିଣପନ୍ଥୀ ନେତା ଫ୍ଲାଭିଓ ବୋଲ୍‌ସୋନାରୋଙ୍କୁ ପରାସ୍ତ କରି ଲୁଲା ଚତୁର୍ଥ ଥର ପାଇଁ ବ୍ରାଜିଲ୍‌ର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ପ୍ରାୟ ୫୨ ପ୍ରତିଶତ ଭୋଟ୍‌ ହାସଲ କରିଛନ୍ତି ଲୁଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଘନିଷ୍ଠତା ରଖୁଥିବା ବୋଲ୍‌ସୋନାରୋଙ୍କ ପରାଜୟ ଲାଟିନ୍ ଆମେରିକାର ରାଜନୀତିରେ ଏକ ନୂଆ ମୋଡ଼ ଆଣିଛି। ଲୁଲାଙ୍କ ଏହି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବା ସହ ଗ୍ଲୋବାଲ ସାଉଥର ସାମୂହିକ ପ୍ରାଥମିକତାକୁ ଆଗକୁ ନେବେ ବୋଲି କହିଛନ୍ତି ମୋଦି‌।

ଏଥର ବ୍ରାଜିଲ୍‌ ନିର୍ବାଚନରେ ଲୁଲାଙ୍କ ପାଇଁ ବିଜୟ ରାସ୍ତା ସହଜ ନଥିଲା। ଅକ୍ଟୋବର ୪ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭୋଟ୍‌ରେ ଫ୍ଲାଭିଓ ବୋଲ୍‌ସୋନାରୋ ଆଗରେ ରହିଥିଲେ। ଫ୍ଲାଭିଓ ପ୍ରାୟ ୪୭.୦୩ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ ଲୁଲାଙ୍କୁ ମିଳିଥିଲା ପ୍ରାୟ ୪୫.୧୬ ପ୍ରତିଶତ ଭୋଟ୍‌। କୌଣସି ପ୍ରାର୍ଥୀ ୫୦ ପ୍ରତିଶତରୁ ଅଧିକ ବୈଧ ଭୋଟ୍‌ ହାସଲ କରିପାରିନଥିବାରୁ ଦୁଇ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ପଛରେ ରହିବା ସତ୍ତ୍ୱେ ଲୁଲା ନିଜର ପ୍ରଚାର ଅଭିଯାନକୁ ଜୋରଦାର ଚଳାଇଥିଲେ। ସୋସିଆଲ୍‌ ମିଡିଆ ମାଧ୍ୟମରେ ଭୋଟରଙ୍କ ସହ ସିଧାସଳଖ ଯୋଗାଯୋଗ, ସାଧାରଣ ସଭା ଏବଂ ନିମ୍ନ ଆୟ ବର୍ଗର ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଉପରେ ଗୁରୁତ୍ୱ ଦେଇଥିଲେ। ଯାହା ତାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ବିପୁଳ ସମର୍ଥନ ଦେଇଥିଲା।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଓ ଆନ୍ତର୍ଜାତିକ ପଦକ୍ଷେପ ବିରୋଧରେ ଲୁଲା ଅନେକ ସମୟରେ ଖୋଲାଖୋଲି ନିଜର ମତ ରଖିଛନ୍ତି। ବାଣିଜ୍ୟ, ଆନ୍ତର୍ଜାତିକ ସମ୍ପର୍କ ଏବଂ ଦେଶଗୁଡ଼ିକର ସାର୍ବଭୌମତ୍ୱ ପ୍ରସଙ୍ଗରେ ଲୁଲାଙ୍କ ଆଭିମୁଖ୍ୟ ଟ୍ରମ୍ପଙ୍କ ନୀତିଠାରୁ ଭିନ୍ନ।

ତେବେ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ହେବାକୁ ଯାଉଥିବା ଲୁଲାଙ୍କ ପାଇଁ ଆଗାମୀ କାର୍ଯ୍ୟକାଳ ସହଜ ହେବ ନାହିଁ। ଦେଶରେ ଦରଦାମ ବୃଦ୍ଧି, ଅପରାଧ ନିୟନ୍ତ୍ରଣ, ପରିବାରଗୁଡ଼ିକର ଋଣଭାର ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ରହିଛି। ତେଣୁ ଲୁଲାଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।