‘ଟେସୁ-ଝାଞ୍ଝି’ ବିସର୍ଜନ ବେଳେ ମାଡ଼ିଗଲା କାର; ୪ ଜଣଙ୍କ ମୃତ୍ୟୁ

ମୃତକଙ୍କ ମଧ୍ୟରେ ୩ ଜଣ ନାବାଳିକା

ଫିରୋଜାବାଦ, ୨୬/୧୦: ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ରବିବାର ରାତିରେ ଘଠିଛି ମର୍ମନ୍ତୁଦ ଦୁର୍ଘଟଣା। ପାରମ୍ପରିକ ‘ଟେସୁ-ଝାଞ୍ଝି’ ପର୍ବ ପାଳନ ଶେଷରେ ମୂର୍ତ୍ତି ବିସର୍ଜନ ପାଇଁ ଯାଉଥିବା ଶୋଭାଯାତ୍ରା ଉପରକୁ ଏକ ଦ୍ରୁତଗାମୀ କାର୍ ମାଡ଼ିଯିବା ଫଳରେ ୩ ଜଣ ନାବାଳିକାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଶ୍ରଦ୍ଧାଳୁ ଏବଂ କାର୍‌ରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନସୀରପୁର ଥାନା ଅନ୍ତର୍ଗତ ଛଟନପୁର ଗାଁ ନିକଟସ୍ଥ ଶିକୋହାବାଦ-ବଟେଶ୍ୱର ରାସ୍ତାରେ ରାତି ପ୍ରାୟ ୮:୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଗାଁର କିଛି ଲୋକ ପାରମ୍ପରିକ ରୀତିନୀତି ଅନୁସାରେ ‘ଟେସୁ-ଝାଞ୍ଝି’ ବିସର୍ଜନ ପାଇଁ ରାସ୍ତା କଡ଼ରେ ଯାଉଥିବା ବେଳେ ଏକ ଅନିୟନ୍ତ୍ରିତ ଦ୍ରୁତଗାମୀ କାର୍ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ଅଞ୍ଜଳି (୧୫), ଆକାଂକ୍ଷା (୧୫), ବାବ୍‌ଲି (୧୭), ହରୀଶ କୁମାର (୨୫)।

ସିରସାଗଞ୍ଜ ସର୍କଲ ଅଫିସର ଚଞ୍ଚଳ ତ୍ୟାଗୀ ସୂଚନା ଦେଇଛନ୍ତି ଯେ, ମୃତକଙ୍କ ମଧ୍ୟରୁ ୩ ଜଣ ନାବାଳିକା ଝିଅ ଅଟନ୍ତି। ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହାତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଦୁର୍ଘଟଣା ଘଟାଇଥିବା କାର୍‌ ଚାଳକକୁ ପୋଲିସ ଅଟକ ରଖିବା ସହ ଗାଡ଼ିଟିକୁ ଜବତ କରିଛି।

‘ଟେସୁ-ଝାଞ୍ଝି’ ପର୍ବ କ’ଣ?

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ‘ଟେସୁ-ଝାଞ୍ଝି’ ହେଉଛି ଉତ୍ତର ପ୍ରଦେଶର ବ୍ରଜ ଅଞ୍ଚଳ, ବୁନ୍ଦେଲଖଣ୍ଡ ଏବଂ ପଶ୍ଚିମ ଉତ୍ତର ପ୍ରଦେଶର ଏକ ପ୍ରସିଦ୍ଧ ପାରମ୍ପରିକ ଲୋକପର୍ବ। ଏହି ପର୍ବରେ ଛୋଟ ଛୋଟ ପିଲା ଓ ଶ୍ରଦ୍ଧାଳୁମାନେ ଉତ୍ସାହର ସହ ଅଂଶଗ୍ରହଣ କରି ଉତ୍ସବ ପାଳନ କରିବା ପରେ ବିସର୍ଜନ ରୀତି ସମ୍ପାଦନ କରନ୍ତି।