ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତ ମାନସିକ ବିକାର ଗ୍ରସ୍ତ!

ଗିରଫ କରି ତଦନ୍ତ କରୁଛି ପୋଲିସ

ନୂଆଦିଲ୍ଲୀ, ୨୦/୮: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସିଭିଲ ଲାଇନ୍ସ ସ୍ଥିତ ବାସଭବନରେ ଜନ ଶୁଣାଣି କରୁଥିବା ସମୟରେ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ଉକ୍ତ ଯୁବକକୁ କାବୁ କରି ଗିରଫ ରଖିଥିଲା ପୋଲିସ। ତଦନ୍ତ ପରେ ଉକ୍ତ ଯୁବକ ଜଣକ ଗୁଜରାଟର ରାଜକୋଟର ବାସିନ୍ଦା ବୋଲି ଜଣାପଡ଼ିଛି।

ଅଭିଯୁକ୍ତ ଜଣକ ୪୧ ବର୍ଷୀୟ ରାଜେଶ ଭାଇ ଖିମଜୀ ଭାଇ ସାକାରିଆ ବୋଲି ଜଣା ପଡିଛି। ଆଜି ଅଭିଯୋଗ କରିବାକୁ ଆସିଥିବା ବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ କାଗଜ ଦେବା ବାହାନା କରି ଆକ୍ରମଣ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ସାମାନ୍ୟ ଆହତ ହୋଇଥିଲେ। ଏବଂ ତାଙ୍କର ଚିକିତ୍ସା କରାଯାଇଥିଲା।

ତେବେ ଏହି ଘଟଣା ପରେ ଅଭିଯୁକ୍ତର ମାଆ କହିଛନ୍ତି ଯେ, ତାଙ୍କ ପୁଅ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସିବ ବୋଲି ସେ ଜାଣିନଥିଲେ। କିନ୍ତୁ ଗତ କିଛି ଦିନ ପୂର୍ବରୁ ରାଜେଶ ଦିଲ୍ଲୀ ସୁପ୍ରିମକୋର୍ଟଙ୍କ କୁକୁରକୁ ନେଇ ରାୟ‌ ଆସିବା ପରେ ସେ ଦିଲ୍ଲୀ ଏକ ରାଲିରେ ଯୋଗ ଦେବା ପାଇଁ ଆସିଥିଲେ। ତାଙ୍କର ମାନସିକ ସମସ୍ୟା ଅଛି‌। କିନ୍ତୁ ସେ ସେଥିପାଇଁ କୌଣସି ମେଡ଼ିସିନ ଖାଆନ୍ତି ନାହିଁ। ସେ ଘରେ ମଧ୍ୟ ଏପରି। ମୋତେ ମଧ୍ୟ ମାଡ ମାରୁଥିଲେ ବୋଲି ଅଭିଯୁକ୍ତର ମାଆ କହିଛନ୍ତି।