ଭୁବନେଶ୍ୱର, ୨୭/୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍-କିଷାନ ଯୋଜନାର ତୃତୀୟ କିସ୍ତି ଜାରି କରିଛନ୍ତି। ରାଜ୍ୟର ୫୧ ଲକ୍ଷ ୫୪ ହଜାର ୧୧୫ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଡିବିଟି ଜରିଆରେ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ପଠାଯାଇଛି। ମୋଟ ୧୦୪୧ କୋଟି ଟଙ୍କା ପଠାଯାଇଛି।
ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT) ରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପ-ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ କୃଷି ମନ୍ତ୍ରୀ କେ.ଭି. ସିଂହ ଦେଓଙ୍କ ଉପସ୍ଥିତିରେ ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଈ କହିଛନ୍ତି, ଚାଷୀ ପଞ୍ଜୀକରଣ ଅବଧି ବଢ଼ିବ। କେତେ ଦିନ ବଢ଼ିବ ଖୁବ୍ ଶୀଘ୍ର ଘୋଷଣା ହେବ। ଆଉ ସପ୍ତାହେ ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ। ତେଣୁ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି, ଖୁବ ଶୀଘ୍ର ସେ ନେଇ ଘୋଷଣା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।