କାବୁଲ, ୧/୯: ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପରେ ଅନେକ ଧନ ଜୀବନ କ୍ଷୟକ୍ଷତି ହୋଇଛି। ଅନେକ ଅଟ୍ଟାଳିକା ମାଟିରେ ମିଶି ଯିବା ସହ ୨୫୦ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୫୦୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ମିଳିଥିବା ସୂଚନା ମୁତାବକ, ଭୂମିକମ୍ପରେ ଆଫଗାନିସ୍ତାନର କୁନାର ପ୍ରଦେଶର ନୁର ଗାଲ, ସାୱକି, ୱାଟପୁର, ମନୋଗି ଏବଂ ଚାପା ଦାରା ଜିଲ୍ଲାରେ ଅଧିକ ବିପର୍ଯ୍ୟୟ ଘଟିଥିବା ଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ଆଫଗାନିସ୍ତାନର ବସାୱୁଲ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଏହାର ଗଭୀରତା ଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ତେବେ ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ପାକିସ୍ତାନର ଇସଲାସାବାଦ ପର୍ଯ୍ୟନ୍ତ ପ୍ରଭାବ ଦେଖିବାକୁ ମିଳିଥିଲା।