ଟି ଟ୍ବେଣ୍ଟିରୁ ଷ୍ଟାର୍କଙ୍କ ଅବସର

ଟି ଟ୍ବେଣ୍ଟି କ୍ରିକେଟରୁ ଅବସର ଘୋଷଣା କଲେ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ୍ ଷ୍ଟାର୍କ।

ଟେଷ୍ଟ ଓ ଦିନିକିଆ ବିଶ୍ବକପକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

କାନବେରା, ୨/୯: ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ୍ ଷ୍ଟାର୍କ ୨୦୨୬ ଟି୨୦ ବିଶ୍ୱକପ୍ ପୂର୍ବରୁ ଟି୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୬ ବର୍ଷୀୟ ଏହି ଅଭିଜ୍ଞ ବାମହାତୀ ଦ୍ରୁତ ବୋଲର ଟେଷ୍ଟ ଏବଂ ୱାନ ଡେ ମ୍ୟାଚ କ୍ରିକେଟରେ ତାଙ୍କ କ୍ରିକେଟ୍ କ୍ୟାରିୟର ଜାରି ରଖିବେ ବୋଲି ସେ କହିଛନ୍ତି।

ଟେଷ୍ଟ ଓ ଦିନିକିଆ ବିଶ୍ବକପକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ଷ୍ଟାର୍କ ୬୫ଟି ଟି ଟ୍ବେଣ୍ଟି ଖେଳି ୭୯ ୱିକେଟ ନେଇଛନ୍ତି। ଷ୍ଟାର୍କ କେବଳ ଆଡାମ ଜାମ୍ପାଙ୍କ ପରେ ଟି-୨୦ରେ ଅଷ୍ଟ୍ରେଲିଆର ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ବୋଲର। ୨୦୧୨ରେ ପାକିସ୍ତାନ ବିପକ୍ଷରେ ଆରମ୍ଭ ହୋଇଥିବା ୬୫ ମ୍ୟାଚ୍ କ୍ୟାରିୟରରେ ସେ ୭.୭୪ ଇକୋନୋମି ରେଟ୍ ସହିତ ୭୯ ୱିକେଟ୍ ନେଇଛନ୍ତି। ସେ ଛଅଟି ଟି-୨୦ ବିଶ୍ୱକପ୍ ମଧ୍ୟରୁ ପାଞ୍ଚଟିରେ ଖେଳିଥିଲେ, କେବଳ ୨୦୧୬ ସଂସ୍କରଣରେ ଆଘାତ ଯୋଗୁଁ ସେ ଖେଳି ନଥିଲେ।