ଉଛୁଳିଲା ଯମୁନା: ଘରେ ପଶିଲା ପାଣି

ସ୍କୁଲ ବନ୍ଦ, ଘରୁ କାମ କରିବା ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨/୯: ଦିଲ୍ଲୀ ଏବଂ ଏହାର ଆଖପାଖ ଏନସିଆର ଲଗାଣ ବର୍ଷା ହେବା ପରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳବାର ସକାଳେ ନଦୀର ଜଳପ୍ରବାହ ୨୦୫.୩୩ ମିଟର ବିପଦ ସଙ୍କେତ ଅତିକ୍ରମ କରିବା ସହିତ ଦିଲ୍ଲୀର ନିମ୍ନ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଯାଇଛି‌। ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବିଶେଷ ସତର୍କତା ସୂଚନା ଜାରି କରାଯାଇଛି। କେତେକ ସ୍ଥାନରେ ଘରେ ମଧ୍ୟ ପାଣି ପଶି ଯାଇଛି।

ପ୍ରବଳ ବର୍ଷା ଯୋଗୁଁ ଟ୍ରାଫିକ ଜାମ ହେଉଛି। ତେଣୁ ଗୁରୁଗ୍ରାମରେ ସ୍କୁଲ ଏବଂ ଅଫିସଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କର୍ତ୍ତୃପକ୍ଷଙ୍କୁ ଅନଲାଇନ୍ କ୍ଲାସ ଏବଂ ଘରୁ କାମ କରିବାକୁ ଅନୁରୋଧ କରିଛି।

ହରିୟାଣାର ହାତନିକୁଣ୍ଡ ବ୍ୟାରେଜରୁ ପ୍ରତି ଘଣ୍ଟାରେ ବିପୁଳ ପରିମାଣର ପାଣି ଛଡ଼ାଯାଉଛି, ଯାହା ଫଳରେ ରାଜଧାନୀର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ଆଶଙ୍କା ବୃଦ୍ଧି ପାଉଛି।

ପାଣିପାଗ ବିଭାଗ ମଙ୍ଗଳବାର ଦିଲ୍ଲୀରେ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି। ସର୍ବାଧିକ ତାପମାତ୍ରା ପ୍ରାୟ ୩୧ ଡିଗ୍ରୀ ସେଲସିୟସ୍ ରହିବ। ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀ ସେଲସିୟସ୍ ରହିବାର ସମ୍ଭାବନା ଅଛି।

ସୋମବାର ଦିନ ଗୁରୁଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପାଣି ଜମିବା ଯୋଗୁଁ ସହର ସାରା ଯାତାୟାତ ପ୍ରଭାବିତ ହୋଇଥିଲା।