କଂଗ୍ରେସ ପ୍ରତ୍ୟେକ ମାଆକୁ ଅପମାନିତ କରିଛି: ପ୍ରଧାନମନ୍ତ୍ରୀ ମୋଦି

‘ଅନେକ କଷ୍ଟ ସହି ମୋ ମାଆ ଆମକୁ ଲାଳନପାଳନ କରିଥିଲା’

ପାଟନା, ୨/୯: ନିକଟରେ ବିହାରରେ ଭୋଟର ଅଧିକାର ଯାତ୍ରା କରିବା ବେଳେ କଂଗ୍ରେସ ଓ ଆରଜେଡିର ରାଲି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର୍ଗତ ମାଆଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ରଖିଥିବା ଯୋଗୁଁ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାଜନୀତିରେ ମୋ ମାଆଙ୍କୁ ଏପରି ଅପମାନିତ କରାଯିବ ମୁଁ କେବେ ଭାବିନଥିଲି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ମୋ ମାଆଙ୍କୁ ବିରୋଧୀ ଗାଳିଦେଲେ, ତାଙ୍କର କଣ ଭୁଲ୍ ଥିଲା। ଏପରି କରି କେବଳ ମୋ ମାଆ ନୁହେଁ, କଂଗ୍ରେସ ପ୍ରତ୍ୟେକ ମାଆକୁ ଗାଳି ଦେଇଛନ୍ତି। ଆଜି ମୁଁ ଯାହା ବି କିଛି ଅଛି, ସେଥିରେ ମୋ ମାଆର ଭୂମିକା ଗୁରୁତ୍ବପୂର୍ଣ୍ଣ। ଅନେକ କଷ୍ଟ ସହି ମୋ ମାଆ ଆମକୁ ଲାଳନପାଳନ କରିଥିଲା। ରାଜନୀତିରେ ମୋ ମାଆର କୌଣସି ଭୂମିକା ନାହିଁ, ତଥାପି ଗାଳି କଲେ।

ମାଆ ଭଉଣୀଙ୍କୁ ଗାଳି କରିବା ଅର୍ଥ ମହିଳାଙ୍କୁ ଦୁର୍ବଳ କରିବା। RJD ଶାସନରେ ବିହାରରେ ମହିଳା ରାସ୍ତାକୁ ବାହାରି ପାରି ନଥିଲେ। ବିହାରବାସୀ ଲମ୍ବା ଲଢ଼େଇ କରି ଅନ୍ଧାରରୁ ମୁକ୍ତି ପାଇଛନ୍ତି। RJD-କଂଗ୍ରେସ ବିହାରରେ ମହିଳାଙ୍କୁ ଡରିଯାଇଛନ୍ତି। ଏହି ମହିଳାମାନେ ଏଥର ନିର୍ବାଚନରେ ସେମାନଙ୍କୁ ଜବାବ ଦେବେ। RJD କେବେ ମହିଳାଙ୍କୁ ଆଗକୁ ଛାଡୁ ନଥିଲା।

ଗରିବ, ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ପରେ କଂଗ୍ରେସ ଅପମାନିତ କରିଛି। ମାତୃଭୂମି ମାଆର ଅପମାନକୁ କେବେ ବରଦାସ୍ତ କରିବନି।