ଜିଏସଟି ସଂସ୍କାର: ହଟିଲା ୧୨% ଓ ୨୮% ସ୍ଲାବ୍

ସ୍ୱାସ୍ଥ୍ୟବୀମା ପଲିସି ଜିଏସଟି ମୁକ୍ତ

ନୂଆଦିଲ୍ଲୀ, ୪/୯: କେନ୍ଦ୍ର ସରକାର ଜିଏସଟି (Goods and Services Tax) ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆଣିଛନ୍ତି, ଯାହା ଚଳିତ ବର୍ଷ ସେପ୍ଟେମ୍ବର ୨୨ ତାରିଖରୁ କାର୍ଯ୍ୟକାରୀ ହେବ। ଗତ କାଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୫୬ତମ GST ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବର୍ତ୍ତମାନର 5% ଓ 18% ଟିକସ ସ୍ଲାବକୁ ବଜାୟ ରଖାଯାଇଛି। 12% ଓ 28% ସ୍ଲାବକୁ ବାତିଲ କରାଯାଇ ଏକ ନୂତନ 40% ଟିକସ ସ୍ଲାବ ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ହାନୀକାରକ ଦ୍ରବ୍ୟ (ଯେପରିକି ତମାଖୁ, ପାନ ମସଲା, ମୃଦୁ ପାନୀୟ) ଉପରେ ଲାଗୁ କରାଯିବ। ଏହି ପରିବର୍ତ୍ତନ ସାଧାରଣ ଜନତାଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବ।

ବର୍ତ୍ତମାନର 5% ଓ 18% ଟିକସ ସ୍ଲାବ ଅପରିବର୍ତ୍ତିତ ରହିବ। ପୂର୍ବରୁ 12% ସ୍ଲାବରେ ଥିବା ପ୍ରାୟ 99% ଦ୍ରବ୍ୟ (ଯେପରିକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଖାଦ୍ୟ ଦ୍ରବ୍ୟ) ଏବେ 5% ସ୍ଲାବରେ ଅନ୍ତର୍ଭୁକ୍ତ ରହିବ। ସେହିପରି, 28% ସ୍ଲାବରେ ଥିବା ପ୍ରାୟ 90% ଦ୍ରବ୍ୟ (ଯେପରିକି ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ) 18% ସ୍ଲାବକୁ ଆସିବ।

40% ନୂତନ ସ୍ଲାବ: ବିଳାସପୂର୍ଣ୍ଣ ସାମଗ୍ରୀ ଯେପରିକି 350 ସିସିରୁ ଅଧିକ ଇଞ୍ଜିନର ମୋଟରସାଇକେଲ, ବଡ଼ ଗାଡ଼ି, ୟଟ୍ସ, ହେଲିକପ୍ଟର ଏବଂ କ୍ଷତିକାରକ ଦ୍ରବ୍ୟ ଯେପରିକି ତମାଖୁ, ପାନ ମସଲା, ମୃଦୁ ପାନୀୟ ଉପରେ 40% GST ଲାଗୁ ହେବ। ତେବେ, ତମାଖୁ ଓ ସିଗାରେଟ ଉପରେ 28% GST ସହିତ ଅତିରିକ୍ତ ଟିକସ ଲାଗିବ।

କ’ଣ ହେବ ଶସ୍ତା ଓ କ’ଣ ହେବ ମହଙ୍ଗା?

୫% ସ୍ଲାବ (ଶସ୍ତା ହେବ): ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯେପରିକି ଟୁଥପେଷ୍ଟ, ହେୟାର ଅଏଲ, ସାବୁନ, ସାମ୍ପୁ, ସାଇକେଲ, ଆସବାବପତ୍ର, ନମକିନ, ପାସ୍ତା, ନୁଡୁଲସ, କଫି, ଚା, ଭୁଜିଆ, କର୍ଣ୍ଣଫ୍ଲେକ୍ସ, ବଟର, ଘିଅ, ବାୟୋ-ପେଷ୍ଟିସାଇଡ, ହସ୍ତଶିଳ୍ପ, ମାର୍ବଲ, ଗ୍ରାନାଇଟ ବ୍ଲକ, ଔଷଧ, ଡାଏଗ୍ନୋଷ୍ଟିକ କିଟ, ପାୱାର ଚଷମା, ଓ ନବୀକରଣଯୋଗ୍ୟ ଶକ୍ତି ଉପକରଣ, କୃଷି ଯନ୍ତ୍ରପାତି, ନାପକିନ୍, ଡାଇପର, ଛୁଆଙ୍କ କ୍ଷୀର ପିଇବା ବୋତଲ।

୧୮% ସ୍ଲାବ: ଏୟାର କଣ୍ଡିସନର, ଟେଲିଭିଜନ (ସମସ୍ତ ଆକାର), ଛୋଟ କାର (୩୫୦ ସିସି ପର୍ଯ୍ୟନ୍ତ), ମୋଟରସାଇକେଲ (୩୫୦ ସିସିରୁ କମ), ଟ୍ରାକ୍ଟର, ସିମେଂଟ, ବସ, ଟ୍ରକ, ଓ ଅଟୋ ପାର୍ଟ୍ସ।

୪୦% ସ୍ଲାବ (ମହଙ୍ଗା ହେବ): ପାନ ମସଲା, ତମାଖୁ, ସିଗାରେଟ, ବିଡି, ମୃଦୁ ପାନୀୟ, ବିଳାସପୂର୍ଣ୍ଣ ସାମଗ୍ରୀ ଯେପରିକି ୩୫୦ ସିସିରୁ ଅଧିକ ମୋଟରସାଇକେଲ, ଇୟାଟ (ନୌକା), ହେଲିକପ୍ଟର, ଓ ବ୍ୟକ୍ତିଗତ ବ୍ୟବହାର ପାଇଁ ବିମାନ ଉପରେ ୪୦% ଜିଏସଟି ଲାଗୁ ହେବ। ଏହା ସହିତ, ପାନ ମସାଲା ଓ ତମାଖୁ ଉପରେ ଜିଏସଟି ଏବେ ରିଟେଲ ବିକ୍ରୟ ମୂଲ୍ୟ (RSP) ଆଧାରରେ ଲାଗୁ ହେବ, ପୂର୍ବରୁ ଯାହା ହୋଲସେଲ ମୂଲ୍ୟ ଆଧାରରେ ଥିଲା।

GST ମୁକ୍ତ (୦%): ଅଲଟ୍ରା-ହାଇ ଟେମ୍ପେରେଚର କ୍ଷୀର, ପନିର, ରୁଟି, ପରଟା, ପାଉଁରୁଟି, ପିଜା, ପିଲାଙ୍କ ପାଠ୍ୟ ସାମଗ୍ରୀ ଓ ୩୩ଟି ଜୀବନ ରକ୍ଷାକାରୀ ଔଷଧ (ବିଶେଷତଃ କର୍କଟ ଔଷଧ) ଏବେ ଜିଏସଟି ମୁକ୍ତ ହେବ। ଏହା ସହିତ, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଓ ଜୀବନ ବୀମା ପଲିସି ଉପରେ ଜିଏସଟି ଲାଗୁ ହେବ ନାହିଁ।

ଏତଦବ୍ୟତୀତ ହୋଟେଲ, ରେଷ୍ଟୁରାଣ୍ଟ, ଓ ଟ୍ରାଭେଲ ସେବା ଉପରେ GST ହାର 18% ରହିବ, କିନ୍ତୁ ନିମ୍ନ ମୂଲ୍ୟର ସେବା (ଯେପରିକି ୧୦୦୦ ଟଙ୍କାରୁ କମ୍ ହୋଟେଲ ରୁମ) 5% ସ୍ଲାବରେ ରହିବ। ଗେମିଂ, OTT ପ୍ଲାଟଫର୍ମ ଏବଂ ଡିଜିଟାଲ ସେବା ଉପରେ 18% GST ଲାଗୁ ହେବ, ଯାହା ଏହି ଶିଳ୍ପରେ ସ୍ଥିରତା ଆଣିବ।