ସମ୍ବଲପୁର, ୪/୯: ସମ୍ବଲପୁର ମହାନଗର ନିଗମ ନିର୍ବାଚନ କୁ ନେଇ ଆଜି ଓଡିଶା ର ମାନ୍ୟବର ହାଇ କୋର୍ଟ ଦେଇଥିବା ଏହି ନିଷ୍ପତ୍ତି ଆଜି ଏଠାରେ ଆନନ୍ଦ ସୃଷ୍ଟି କରିଛି।ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ପରିଚାଳିତ ସମ୍ବଲପୁର ମହାନଗର ନିଗମ ଦୁର୍ନୀତି ର ଏକ ପେଣ୍ଠସ୍ଥଳି ସାଜିଥିଲା । ନିର୍ବାଚିତ ପ୍ରତିନିଧି ନ ଥିବାରୁ ଲୋକେ ନିଜର ପୌର ସମସ୍ୟା ର ସମାଧାନ ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ । ପ୍ରସାନିକ ଅଧିକାରୀ ଙ୍କ ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ମହାନଗର ନିଗମ ଅଞ୍ଚଳବାସୀ ସର୍ବନିମ୍ନ ପୌର ସୁବିଧା ରୁ ବଞ୍ଚିତ ରହୁଥିଲେ ।
ଗତ ୨୦୧୩ ନଭେମ୍ବର୧୫ ତାରିଖ ରେ ସମ୍ବଲପୁର ପୌର ପରିଷଦ, ବୁର୍ଲା ଓ ହୀରାକୁଦ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୧୨ ଗୋଟି ପଞ୍ଚାୟତ କୁ ନେଇ ଗଠନ ହୋଇଥିଲା ସମ୍ବଲପୁର ମହାନଗର ନିଗମ । କିନ୍ତୁ, ଘରେ ପଶୁ ପଶୁ ଚାଳ ବାଜିଲା ଭଳି ପ୍ରଥମ ନିର୍ବାଚନ ରେ ହିଁ ବାଧକ ସୃଷ୍ଟି ହୋଇଥିଲା ୱାର୍ଡ ସଂରକ୍ଷଣ ବ୍ୟବସ୍ଥା ।
ସମ୍ବଲପୁର ମହାନଗର ନିଗମ ହେବା ପରେ ନିର୍ବାଚନ ପାଇଁ ପ୍ରକାଶିତ ୱାର୍ଡ ସଂରକ୍ଷଣ ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ବର୍ଗଙ୍କ ପାଇଁ ରଖାଯାଇଥିବା ଅଭିଯୋଗ ନେଇ ୨୦୧୫ ରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଏହି ବିଜ୍ଞପ୍ତି ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ । ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପାଇଁ ୧୦ ବର୍ଷ ହେବ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ହୋଇ ପାରୁ ନଥିଲା।
ଓଡିଶା ର ମାନ୍ୟବର ହାଇ କୋର୍ଟ ଙ୍କ ଆଜିର ଫଇସଲା ପରେ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଫିଟିଛି । ଏ ସଂପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ମହାନଗର ନିଗମ ୱାର୍ଡ ସଂରକ୍ଷଣ ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ବର୍ଗଙ୍କ ପାଇଁ ରଖାଯାଇ ପ୍ରକାଶିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିବା ସହିତ ସାନି ବିଜ୍ଞପ୍ତି ପ୍ରକାଶ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଂରକ୍ଷଣ ୫୦ ପ୍ରତିଶିତ ସୀମା ଭିତରେ ରଖି ଓ ସୁପ୍ରିମକୋର୍ଟଙ୍କ ରାୟ ପାଳନ କରି ୬ ସପ୍ତାହ ଭିତରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ହାଇକୋର୍ଟ ଅଜୟ କୁମାର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ରାୟ ପରେ ସମ୍ବଲପୁର ପୌର ନିଗମ ନିର୍ବାଚନ ପାଇଁ ବାଟ ପଥ ପରିଷ୍କାର ହୋଇଛି ।