ମାଲକାନଗିରି (ଦନର୍ଶନ୍ୟୁଜ), ୪/୯: ମାଥିଲି ଲ୍ୟାମ୍ପସରେ ହୋଇଥିବା ଅର୍ଥ ହେରଫେର, ଅନିୟମିତତା ଏବଂ ବେଆଇନ ନିଯୁକ୍ତିକୁ ନେଇ ଆଜି ଉପନିବନ୍ଧକ ସମବାୟ ସମିତି କାର୍ଯ୍ୟାଳୟରେ ତଦନ୍ତ ଆରମ୍ଭ ହୋଇଛି। ଏହି ତଦନ୍ତରେ ଲ୍ୟାମ୍ପସର ୧୫ ଜଣ ନିର୍ଦ୍ଦେଶକଙ୍କୁ ଡାକାଯାଇଥିଲା। ସେଥିରୁ ୯ ଜଣ ନିର୍ଦ୍ଦେଶକ, ସଭାପତିଙ୍କ ଉପରେ ବିଭିନ୍ନ ଅଭିଯୋଗ ଆଣିଥିଲେ।
ଅଭିଯୋଗମାନଙ୍କ ମଧ୍ୟରେ ଥିଲା – ଲ୍ୟାମ୍ପସର ଟଙ୍କାର ହେରଫେର, ନିଜ ସଂପର୍କୀୟଙ୍କୁ ପଦସ୍ଥ କରାଇବା, ବେଆଇନ ଭାବେ ଦରମା ବୃଦ୍ଧି ଏବଂ ସାର କଳାବଜାରି। ଏହାକୁ ନେଇ ଦୁଇ ପକ୍ଷର ନିର୍ଦ୍ଦେଶକମାନେ କାର୍ଯ୍ୟାଳୟ ପରିସରରେ ମୁହାଁମୁହିଁ ହୋଇଥିଲେ।
ତଦନ୍ତରେ ବିଆରସିଏସ ଥିଓଫିଲ ଶବର, ଦୁଇଜଣ ଏଆରସିଏସ ଏବଂ ବ୍ୟାଙ୍କ ବିଏମ ଉପସ୍ଥିତ ଥିଲେ। ତଦନ୍ତ ବେଳେ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ବାକ୍ବିତଣ୍ଡା ହୋଇଥିଲା। କେତେକ ନିର୍ଦ୍ଦେଶକ ସଭାପତିଙ୍କୁ ତୁରନ୍ତ ପଦଚ୍ୟୁତ କରିବାକୁ ଦାବି କରିଥିଲେ।
ସଭାପତିଙ୍କୁ ନିଜେ ମନଇଛା ଭାବରେ କାମ କରିବା, ବୋର୍ଡ୍ ବୈଠକରେ ମନମାନି ବିଚାର କରିବା ଏବଂ ଅଳ୍ପ ଖର୍ଚ୍ଚ ଦେଖାଇ ଅଧିକା ଟଙ୍କା ଉଠାଇବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ତଦନ୍ତ ପରେ ବିଆରସିଏସ କହିଥିଲେ, ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ଅଭିଯୋଗର ସତ୍ୟତା ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ଦ୍ଦେଶକମାନେ ଏହି ତଦନ୍ତ ନିରପେକ୍ଷ ଭାବରେ ହେବାକୁ ଦାବି କରିଛନ୍ତି।