ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ

ଫୋନ୍ କରି ଶୁଭେଚ୍ଛା ଜଣାଇଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ, ୧୭/୯: ଭାରତ ଓ ଆମେରିକା ମଧ୍ୟରେ ଟାରିଫକୁ ନେଇ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ଶୁଭେଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଟ୍ରମ୍ପଙ୍କ ପରି, ସେ ଭାରତ ଏବଂ ଆମେରିକା ମଧ୍ୟରେ ବ୍ୟାପକ ଏବଂ ବିଶ୍ୱସ୍ତରୀୟ ସହଭାଗୀତାକୁ ନୂତନ ଶିଖରକୁ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

ଆମେରିକା ରାଷ୍ଟ୍ରପତିଙ୍କ ଶୁଭେଚ୍ଛାର ଜବାବରେ, ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି, ମୋର ବନ୍ଧୁ, ରାଷ୍ଟ୍ରପତି ଟ୍ରମ୍ପ, ମୋର ୭୫ତମ ଜନ୍ମଦିନରେ ଆପଣଙ୍କ ଫୋନ୍ କଲ୍ ଏବଂ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଆପଣଙ୍କ ପରି, ମୁଁ ମଧ୍ୟ ଭାରତ-ଆମେରିକାର ବ୍ୟାପକ ଏବଂ ବିଶ୍ୱସ୍ତରୀୟ ସହଭାଗୀତାକୁ ନୂତନ ଶିଖରକୁ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆପଣଙ୍କ ପ୍ରୟାସକୁ ଆମେ ସମର୍ଥନ କରୁଛୁ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଫୋନ୍ କଥାବାର୍ତ୍ତା ବିଷୟରେ ପୋଷ୍ଟ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଛି। ମୁଁ ତାଙ୍କୁ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା ଜଣାଉଛି। ସେ ବହୁତ ଭଲ କାମ କରୁଛନ୍ତି। ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବାରେ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରୁ ଆମେରିକାକୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ୫୦% ଟାରିଫ ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି। ଭାରତ ୫୦% ଆମେରିକା ଶୁଳ୍କକୁ ଅନୁଚିତ ଏବଂ ଅଯୌକ୍ତିକ ବୋଲି କହିଛି।

ସେପଟେ ନୂଆଦିଲ୍ଲୀରେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ପୁନର୍ବାର ଆରମ୍ଭ ହୋଇଛି। ଆମେରିକା ପ୍ରତିନିଧି ବ୍ରେଣ୍ଡନ ଲିଞ୍ଚ ଏବଂ ଭାରତର ପ୍ରତିନିଧି ରାଜେଶ ଅଗ୍ରୱାଲଙ୍କ ମଧ୍ୟରେ ଆଲୋଚନା ହୋଇଛି।