ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଜୁନିଅର ଆସିଷ୍ଟାଣ୍ଟ, ୨ ଗିରଫ

ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ସମ୍ବଲପୁର, ୧୭/୯: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟ (BEO)ର ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଛି।

ବିଇଓ କାର୍ଯ୍ୟାଳୟର ଜୁନିଅର ଆସିଷ୍ଟାଣ୍ଟ ଦୁଷ୍ମନ୍ତ କୁମାର ସାହୁ ଏବଂ ପିଅନ ଗୋପବନ୍ଧୁ ସାହୁ ଲାଞ୍ଚ ନେବା ଅବସ୍ଥାରେ ଧରା ପଡ଼ିଥିଲେ। ଭିଜିଲାନ୍ସ ଅଧିକାରୀଙ୍କ ଅନୁଯାୟୀ, ଦୁଷ୍ମନ୍ତ ସାହୁ ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଠାରୁ ସେମାନଙ୍କର କାର୍ଯ୍ୟ ପାଇଁ ନିୟମିତ ଭାବରେ ଲାଞ୍ଚ ମାଗୁଥିଲେ।

ବର୍ତ୍ତମାନର ମାମଲାରେ, ଜୁନିଅର ଆସିଷ୍ଟାଣ୍ଟ ଜଣେ ବ୍ୟକ୍ତିଙ୍କଠାରୁ ତାଙ୍କ ଦରମା ପ୍ରକ୍ରିୟାକରଣ ପାଇଁ ୨୫ ହଜାର ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ସମ୍ପୂର୍ଣ୍ଣ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ଜୁନିଅର ଆସିଷ୍ଟାଣ୍ଟ ପ୍ରଥମ କିସ୍ତି ବାବଦରେ ୭ ହଜାର ଟଙ୍କା ନେବାକୁ ରାଜି ହୋଇଥିଲେ। ଏହା ପରେ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସର ପୂର୍ବ ଯୋଜନା ମୁତାବକ, ଜୁନିଅର ଆସିଷ୍ଟାଣ୍ଟ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ରେଡ୍ ହ୍ୟାଣ୍ଡ ଧରିଥିଲା। ଉଭୟ ଜୁନିଅର ଆସିଷ୍ଟାଣ୍ଟ ଓ ପିଅନଙ୍କ ଗିରଫଦାରୀ ପରେ ଉଭୟଙ୍କ ସହ ଜଡ଼ିତ ସମ୍ପତ୍ତି ଉପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଚଢ଼ାଉ କରାଯାଇଛି।