ପରଲୋକରେ ଜୟନ୍ତୀ ପଟ୍ଟନାୟକ : ଆଜି ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଓଡିଶାର ପ୍ରଥମ ମହିଳା ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଛି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକ ଆଉ ଆମ ଗହଣରେ ନାହାନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳେ ତାଙ୍କ ନିକଟରେ ପୁଅ ପୃଥିବଲ୍ଲଭ ପଟ୍ଟନାୟକ, ବୋହୂ ସସ୍ମିତା ପଟ୍ଟନାୟକ, ବଡ ଝିଅ ସୁଦତା ପଟ୍ଟନାୟକ, ଜ୍ୱାଇଁ ସୌମ୍ୟରଞ୍ଜନ ପଟ୍ଟନାୟକ, ନାତୁଣୀ ତନୟା ପଟ୍ଟନାୟକ, ନାତୁଣୀ ଜ୍ୱାଇଁ ସତ୍ୟସ୍ମୃତି ମହାନ୍ତି, ନାତୁଣୀ ତମନ୍ନା ପଟ୍ଟନାୟକ ଓତନ୍ମୟୀ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ଫରେଷ୍ଟ ପାର୍କ ସ୍ଥିତ ତାଙ୍କ ବାସଭବନକୁ ନେତା, ସମାଜସେବୀ ଓ ସାମାଜିକ କର୍ମୀଙ୍କ ସୁଅ ଛୁଟିଥିଲା । ତାଙ୍କର ଶେଷ ଦର୍ଶନ କରିବାକୁ ଲୋକଙ୍କ ଭିଡ ଜମିଥିଲା । ତାଙ୍କ ପାର୍ଥିବ ଶରୀରରକୁ ଶେଷ ଦର୍ଶନ କରିବା ପାଇଁ ଫରେଷ୍ଟ ପାର୍କ ସ୍ଥିତ ବାସଭବନରେ ରଖାଯାଇଛି । ବନ୍ଧୁବାନ୍ଧବ ଓ ସଂପର୍କୀୟ ଆସିବା ପରେ ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି । ଜୟନ୍ତି ପଟ୍ଟନାୟକଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।