ସପ୍ତମୀରେ ଭିଜିବ ଉପକୂଳ ଓଡ଼ିଶା

ଭୁବନେଶ୍ୱର, ୨୯/୦୯: ପଶ୍ଚିମ କେନ୍ଦ୍ରୀୟ ତଥା ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ଲାଗିରହିଛି । ୧ ତାରିଖରୁ ବର୍ଷାର ପରିମାଣ ବଢିବା ସହ ୨ ଅକ୍ଟୋବର ମହାସପ୍ତମୀରୁ ସମସ୍ତ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଉପକୂଳର ସମସ୍ତ ୧୧ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହାସହ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କେନ୍ଦୁଝର, ମୟୁରଭଞ୍ଜ ସହ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପରେ ୩ ଅକ୍ଟୋବର ମହାଷ୍ଟମୀରେ ବର୍ଷାର ପରିମାଣ ବଢିବା ସହ ସାରା ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସାରା ରାଜ୍ୟରେ ବର୍ଷାର ପରିମାଣ ବଢିବ । ଏଥିପାଇଁ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।