ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେଲେ ନବୀନ ପଟ୍ଟନାୟକ
ଜନ୍ମଦିନରେ ଜନତାଙ୍କ ଶୁଭେଚ୍ଛା ଗ୍ରହଣ କଲେ
ଶେଷ ପର୍ଯ୍ୟନ୍ତ ଓଡିଶା ମା’ର ସେବା କରି ଚାଲିବି: ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୧୬/୧୦: ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ଗଙ୍ଗନଗର ବିଜୁ ଆଦର୍ଶ କଲୋନୀରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ| ବିଜେଡିର ନେତା ଓ କର୍ମୀ ମାନଙ୍କ ଗହଣରେ ଶ୍ରୀ ପଟ୍ଟନାୟକ କିଛି ବାଟ ଚାଲିବା ସହିତ ଆୟୋଜିତ ସଭାରେ ଉପସ୍ଥିତ ଜନତା ଓ କର୍ମୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ| ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ସହିତ ସବୁବେଳେ ରହିଛି ଓ ରହିଥିବ। ସେବା ବିଜୁ ଜନତା ଦଳର ମନ୍ତ୍ର। ତେଣୁ ଲୋକଙ୍କ ସେବା ଜାରି ରଖିବା ପାଇଁ କର୍ମୀ ମାନଙ୍କୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେବା ସହିତ,ଶେଷ ପର୍ଯ୍ୟନ୍ତ ସେ ଓଡିଶା ମା’ର ସେବା କରିଚାଲିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ|
ଭୁବନେଶ୍ୱର ବିଜୁ ଜନତା ଦଳର ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀପ୍ରସାଦ ମିଶ୍ର, ସାଂସଦ ଦେବାଶିଷ ସାମନ୍ତରାୟ, ସାଂସଦ ସୁଲତା ଦେଓ, ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଶ୍ରୀ ବିଭୁତି ବଳବନ୍ତରାୟ, ଭୁବନେଶ୍ୱରର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ବିଜେଡିର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଜେଡିର କର୍ପୋରେଟରମାନେ ଯୋଗ ଦେଇଥିଲେ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ଚକୋଲେଟ ବାଣ୍ଟିଥିଲେ| ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅକଟୋବର ୯ରୁ ଆରମ୍ଭ ହୋଇଛି ଓ ଏହା ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବ।