ଚାଞ୍ଚଲ୍ୟ: ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଘରେ ଏକୁଟିଆ ଥିବା ବେଳେ ଦୁଷ୍କର୍ମ ଓ ହତ୍ୟା

ଭୁବନେଶ୍ଵର, ୧୭/୧୦: ପୁଣି ଘଟିଛି ଚାଞ୍ଚଲ୍ୟକର ଘଟଣା। ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆଲୋଡନା ସୃଷ୍ଟି ହୋଇଥିବା ବେଳେ ଏବେ ପୁଣି ଜଣେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ସାମନାକୁ ଆସିଛି।

ହାଇଦ୍ରାବାଦରେ କାମ କରୁଥିବା ଜଣେ ଓଡ଼ିଆ ମହିଳାଙ୍କୁ ତାଙ୍କ ଘରେ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ଘର ଭୁବନେଶ୍ୱରର ଭରତପୁରରେ। ତାଙ୍କ ନାଁ ଅନିନ୍ଦିତା ମହନ୍ତ ବୋଲି ଜଣା ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଅନିନ୍ଦିତା ଏବଂ ତାଙ୍କ ସ୍ୱାମୀ ଗୌତମ ଘଡେଇ ଗତ ଛଅ ମାସ ଧରି ତେଲେଙ୍ଗାନାର ହାଇଦ୍ରାବାଦର ପେଟବସିରାବାଦ୍ କୋମପାଲିରେ ରହୁଥିଲେ। ଗୌତମ ଘଡ଼େଇ ଏକ ଘରୋଇ କମ୍ପାନୀରେ ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିବା କରୁଥିବା ବେଳେ ଅନିନ୍ଦିତା ଶିକ୍ଷୟିତ୍ରୀ ଥିଲେ। ସେମାନେ ରହୁଥିବା ଆପାର୍ଟମେଣ୍ଟରେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ସେମାନଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ ଅଛି।

ଭରତପୁର ଥାନାରେ ଦାୟର ଅଭିଯୋଗ ଅନୁଯାୟୀ, ଗୌତମଙ୍କର ଦୁବାଇରେ ଚାକିରି ହୋଇ ଯାଇଥିଲା। ତେଣୁ ବିଦେଶ ଯାତ୍ରା ପାଇଁ ପାସପୋର୍ଟ ସମ୍ବନ୍ଧୀୟ କାମ ପାଇଁ ଅକ୍ଟୋବର ୧୧ ତାରିଖରେ ତାଙ୍କ ପୁଅ ସହିତ ଭୁବନେଶ୍ୱର ଆସିଥିଲେ। ଅନିନ୍ଦିତା ହାଇଦ୍ରାବାଦ ସ୍ଥିତ ଘରେ ଏକା ରହିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଏହାର ସୁଯୋଗ ନେଇ ତାଙ୍କ ଘରେ ପଶି ଦୁଷ୍କର୍ମ କରିବା ସହ ଗଳାକାଟି ହତ୍ୟା କରିଥିଲେ।

ଏ ସଂକ୍ରାନ୍ତରେ ଖବର ପାଇ ଗୌତମ ହାଇଦ୍ରାବାଦ ଯାଇ ଅନିନ୍ଦିତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ‌। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି।

ଅନିନ୍ଦିତାଙ୍କ ମାଆ ଶୁକାନ୍ତି ମହାନ୍ତ ମୃତଦେହକୁ ଓଡ଼ିଶା ଆଣିବା ପାଇଁ ନିବେଦନ କରିଛନ୍ତି।