ଭୁବନେଶ୍ୱର, ୨୭/୧୦: ସାଧୁତା ଓ ସ୍ୱଚ୍ଛତା ସଚେତନତା ସପ୍ତାହ ଉପଲକ୍ଷେ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସାମୂହିକ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ଶାସନ ସଚିବ ଅଶ୍ୱତୀ ଏସ୍. ଙ୍କ ନେତୃତ୍ୱରେ ବିଭାଗର ସମସ୍ତ ପଦାଧିକାରୀ ଓ କର୍ମଚାରୀମାନେ ସମବେତ ହୋଇ ଶପଥ ପାଠ କରିଥିଲେ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଅବଲମ୍ବନ ସହ ଆଇନର ଶାସନକୁ ଅନୁପାଳନ କରିବା, ସମସ୍ତ କାର୍ଯ୍ୟକୁ ଉତ୍ତରଦାୟିତ୍ୱତା, ସାଧୁତା ଓ ସ୍ୱଚ୍ଛତାର ସହ ସମ୍ପାଦନ କରିବା, ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖିବା ଏବଂ ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ଜାଣିବା ମାତ୍ରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ନିମନ୍ତେ ସମସ୍ତ ଶପଥ ପାଠ କରିଥିଲେ ।
ବିଭାଗୀୟ ଭିଜିଲାନ୍ସ ଅଧିକାରୀ ବିଜୟ କୁମାର ଦାଶ, ସ୍ଵତନ୍ତ୍ର ଶାସନ ସଚିବ ଡ଼ାକ୍ତର ବିଜୟ କୁମାର ମହାପାତ୍ର, ଅତିରିକ୍ତ ଶାସନ ସଚିବ ଗୌରହରି ବେହେରାଙ୍କ ସମେତ ସମସ୍ତ ପଦସ୍ଥ ଅଧିକାରୀ ଏବଂ କର୍ମଚାରୀମାନେ ସାମୂହିକ ଭାବେ ଶପଥ ପାଠ କରିଥିଲେ ।