ନାଲକୋରେ ସତର୍କତା ସଚେତନତା ସପ୍ତାହ ୨୦୨୫ ପାଳିତ

କର୍ମଚାରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ

ଭୁବନେଶ୍ୱର, ୦୫।୧୧: ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲ୍ୟୁମିନିୟମ କମ୍ପାନୀ ଲିମିଟେଡ଼(ନାଲକୋ) ପକ୍ଷରୁ “ସତର୍କତା: ଆମର ସହଭାଗୀ ଦାୟିତ୍ୱ” ବିଷୟବସ୍ତୁ ଆଧାରରେ ସତର୍କତା ସଚେତନତା ସପ୍ତାହ – ୨୦୨୫ ପାଳିତ ହୋଇଯାଇଛି। ଜୀବନରେ ଅଖଣ୍ଡତା, ସ୍ୱଚ୍ଛତା ଏବଂ ଦାୟିତ୍ୱବୋଧତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କମ୍ପାନୀର ସମସ୍ତ ୟୁନିଟ୍ ଏବଂ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ଭୁବନେଶ୍ୱରସ୍ଥିତ କର୍ପୋରେଟ୍ କାର୍ଯ୍ୟାଳୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭୁବନେଶ୍ୱର ଏବଂ କଟକର ପ୍ରାୟ ୭୦ଟି ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟଳରୁ ୨୫୦ରୁ ଅଧିକ ଉତ୍ସାହୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କର୍ମକ୍ଷେତ୍ରରେ ନୈତିକ ଆଚରଣ ଏବଂ ସତର୍କତାର ବାର୍ତ୍ତାକୁ ଆହୁରି ସୁଦୃଢ଼ କରିବା ପାଇଁ ନାଲକୋ କର୍ମଚାରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା।

ଆଜି କର୍ପୋରେଟ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ସମାପନୀ ସମାରୋହରେ, ଶ୍ରୀ ହେମନ୍ତ ଶର୍ମା, ଆଇଏଏସ୍, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶା ସରକାର, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥି ସହ, ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ସିଏମଡି, ଶ୍ରୀ ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ଉତ୍ପାଦନ), ଶ୍ରୀ ଜଗଦୀଶ ଆରୋରା, ନିର୍ଦ୍ଦେଶକ (ପିଏଣ୍ଡଟି), ଡକ୍ଟର ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ମାନବ ସମ୍ବଳ), ଶ୍ରୀ ଅଭୟ କୁମାର ବେହୁରିଆ, ନିର୍ଦ୍ଦେଶକ (ଅର୍ଥ) ଏବଂ ଶ୍ରୀ ପ୍ରଣବଜ୍ୟୋତି ନାଥ, ଆଇଏଏସ୍, ସିଭିଓ, ନାଲକୋ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ, ଶ୍ରୀ ପ୍ରଣବଜ୍ୟୋତି ନାଥ, ଆଇଏଏସ, ସିଭିଓ , ନାଲକୋ, ସପ୍ତାହବ୍ୟାପୀ ପାଳନ ସମୟରେ ଆୟୋଜିତ ବିଭିନ୍ନ ସଚେତନତା କାର୍ଯ୍ୟକଳାପ ଉପରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ ଏବଂ ସତର୍କତା ସଚେତନତା ସପ୍ତାହ ସମୟରେ କର୍ମଚାରୀ, ଛାତ୍ର ଏବଂ ଅଂଶୀଦାରମାନଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଭାଗିତାକୁ ପ୍ରଶଂସା କରିଥିଲେ। ସେ ନୈତିକ ଆଚରଣ ଏବଂ ସାଂଗଠନିକ ଅଖଣ୍ଡତାକୁ ପ୍ରୋତ୍ସାହିତ କରିବାରେ ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ତ୍ୱାରୋପ କରିଥିଲେ।

ନିଜ ଅଭିଭାଷଣରେ, ଶ୍ରୀ ହେମନ୍ତ ଶର୍ମା, ଆଇଏଏସ, ନାଲକୋର ଅବଦାନକୁ ପ୍ରଶଂସା କରି କହିଥିଲେ ଯେ, ନାଲକୋ ସଚ୍ଚୋଟତାର ସହିତ ସମ୍ବଳର ସୁପରିଚାଳନା ଦ୍ୱାରା ଦେଶର ପ୍ରଗତି କ୍ଷେତ୍ରରେ ନିଜର ଯୋଗଦାନ କରିପାରିଛି। ଆନ୍ତରିକ ମୂଲ୍ୟବୋଧକୁ ବଜାୟ ରଖିବା ସହ ଓଡ଼ିଶା ତଥା ସାମୁଦାୟିକ ବିକାଶରେ ସମ୍ବଳର ସର୍ବୋତ୍ତମ ବ୍ୟବହାର କ୍ଷେତ୍ରରେ ନାଲକୋର ପ୍ରଚେଷ୍ଟାକୁ ସେ ପ୍ରଶଂସା କରିଥିଲେ। ବିଶ୍ୱସନୀୟତା ଯେକୌଣସି ସଫଳ ସଂଗଠନର ଆଧାର ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, “କର୍ମଚାରୀମାନଙ୍କୁ ସଶକ୍ତ କରିବା ଦ୍ୱାରା ସତର୍କତା ପ୍ରୋତ୍ସାହିତ ହୁଏ ଓ ସ୍ୱଚ୍ଛତା ଏବଂ ଗୁଣବତ୍ତା ସହିତ କାର୍ଯ୍ୟ କରିବା ଦ୍ୱାରା ତାହା ସ୍ୱାଭାବିକ ଭାବରେ ସଂଗଠନର ଆୟ ବୃଦ୍ଧି ନିମନ୍ତେ ପଥ ପ୍ରଶସ୍ତ କରେ”।

ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ସିଏମଡି ନିଜ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ ଯେ, ସତର୍କତା ଏକ ନିରନ୍ତର ଅଭ୍ୟାସ ହେବା ଉଚିତ। “ସତର୍କତା କେବଳ ଭୁଲକୁ ରୋକିବା ବିଷୟ ନୁହେଁ; ବରଂ ଏକ ସଂସ୍କୃତିକୁ ପ୍ରୋତ୍ସାହିତ କରିବାର ବିଷୟ ଯେଉଁଠାରେ ସଚ୍ଚୋଟତା ଏବଂ ନ୍ୟାୟ ପ୍ରତ୍ୟେକ କାର୍ଯ୍ୟ ଏବଂ ନିଷ୍ପତ୍ତିକୁ ମାର୍ଗଦର୍ଶନ କରେ”। ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ, ସତର୍କତା କାର୍ଯ୍ୟବ୍ୟବସ୍ଥାକୁ ମଜବୁତ କରିବା ସହ ନୈତିକ ଅଭ୍ୟାସକୁ ପ୍ରୋତ୍ସାହିତ କରେ ଏବଂ ସାଂଗଠନିକ ବିଶ୍ୱସନୀୟତା ନିର୍ମାଣ କରେ, ଯାହା ଦ୍ୱାରା ଅଂଶୀଦାରଙ୍କ ବିଶ୍ୱାସ ଅଧିକ ସୁଦୃଢ଼ ହୋଇଥାଏ।

ସମାପନୀ ସମାରୋହ ନାଲକୋର ନୈତିକ ଉତ୍କର୍ଷତା ଏବଂ ସ୍ୱଚ୍ଛତାର ସହିତ କାର୍ଯ୍ୟ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ନାଲକୋ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ବିଷୟବସ୍ତୁ ସହିତ, ଅଗଷ୍ଟ ୧୮, ୨୦୨୫ ଠାରୁ ଆରମ୍ଭ ହୋଇଥିବା ତିନି ମାସ ବ୍ୟାପୀ ସଚେତନତା ଅଭିଯାନ ମଧ୍ୟ ପାଳନ କରିଛି।