ଆଜି ମହାମାୟାଙ୍କ ମହାନବମୀ ପୂଜା । ମା’ଙ୍କ ଆରାଧନା ପାଇଁ ଉତ୍ସବମୁଖର ହୋଇପଡ଼ିଛି ସାରା ରାଜ୍ୟ । ସୁନା, ରୁପା ମେଢ଼ରେ ଝଟକୁଛନ୍ତି ମା’ ଜଗଦଜନନୀ । ଆଜି ମହାନବମୀ ଉପଲକ୍ଷେ ସକାଳୁ ମା’ଙ୍କ ବିଭିନ୍ନ ନୀତିକାନ୍ତି କରାଯିବ । ମା’ଙ୍କ ଆରାଧନା ପାଇଁ ପୂଜା ମଣ୍ଡପ ଗୁଡ଼ିକରେ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି । ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି ।
ଆଳତି, ପୁଷ୍ପାଞ୍ଜଳି ପରେ ସଂଧ୍ୟାରେ କୁମାରୀ ପୂଜା କରାଯିବ । ମେଢ ଓ ସୁଦୃଶ ତୋରଣ ଦେଖିବା ସହ ମା’ଙ୍କ ଆଶୀର୍ବାଦ ନେବାକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଚାରିଆଡେ ଶ୍ରଦ୍ଧାଳୁଙ୍କ ନାହିଁନଥିବା ଗହଳି । ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ପୂଜା ମଣ୍ଡପ ରାସ୍ତାରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ବିଶେଷ କରି ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ବେଶ୍ ଉପଭୋଗ କରୁଛନ୍ତି ।