ଗୁଣ୍ଡିଚା ମନ୍ଦିର ଦଳାଚକଟା: ୭ ପୋଲିସ ଦାୟୀ

ତଦନ୍ତ ସମ୍ପୂର୍ଣ୍ଣ, ରିପୋର୍ଟରେ ଯେଉଁମାନଙ୍କ ନାମ ଅଛି ଦଣ୍ଡିତ ହେବେ: ମନ୍ତ୍ରୀ

ପୁରୀ, ୦୮/୧୧: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍‌ କରିଛନ୍ତି ଗୃହ ବିଭାଗ ଅତିରିକ୍ତ ସଚିବ। ୭ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜି ଓ ଆଇଜି ପୋଲିସକୁ ଚିଠି ଲେଖିଛନ୍ତି ଗୃହ ବିଭାଗର ଅତିରିକ୍ତ ସଚିବ।

ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ କରାଯାଇଛି। ରିପୋର୍ଟରେ କର୍ତ୍ତବ୍ୟରତ ଅଧିକାରୀଙ୍କ ଦ୍ୱାରା “ଭିଡ଼ ନିୟନ୍ତ୍ରଣରେ ଗୁରୁତର ତ୍ରୁଟି ଏବଂ କାର୍ଯ୍ୟକ୍ଷମ ବିଫଳତା” ଉଲ୍ଲେଖ କରାଯାଇଛି। ୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ଦାସ, କେକେ ନାୟକ, DSP ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, କମାଣ୍ଡାଣ୍ଟ ଶାରଦା ଦାଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ବରିଷ୍ଠ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଅନୁପସ୍ଥିତ ଥିଲେ ଏବଂ ନିୟୋଜିତ କର୍ମଚାରୀମାନେ “ରଥ ନିକଟରେ ଭିଡ଼ ପରିଚାଳନା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେଇ ନଥିଲେ।”

ସୂଚନାଯୋଗ୍ୟ, ଗତ ଜୁନ୍ ୨୯ ତାରିଖରେ ରଥଯାତ୍ରା ଦିନ ଦଳାଚକଟା ସୋଇ ତିନି ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୦ ଜଣ ଆହତ ହୋଇଥିଲେ।

ସେପଟେ ତଦନ୍ତ ରିପୋର୍ଟକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଛି, ବିଭିନ୍ନ ବିଭାଗସ୍ତରରେ ତର୍ଜମା ସରିଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁମୋଦନ ଦେଇଛନ୍ତି। ସେଦିନର ଦୁର୍ଘଟଣା ପାଇଁ ଯେଉଁମାନେ ଦାୟୀ, ଭୁଲ କରିଛନ୍ତି, କାର୍ଯ୍ୟାନୁଷ୍ଠାନ। କର୍ତ୍ତବ୍ୟରେ ଅବହେଳା କରିଛନ୍ତି ସେମାନଙ୍କ ଉପରେ ହେବ ଆକ୍ସନ। ତଦନ୍ତ ସମ୍ପୂର୍ଣ୍ଣ, ରିପୋର୍ଟରେ ଯେଉଁମାନଙ୍କ ନାମ ଅଛି ଦଣ୍ଡିତ ହେବେ। ୨୪ ବର୍ଷ ସରକାରରେ ଏଭଳି କିଛି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇନି ବିଜେଡି।”