ପରିବର୍ତ୍ତନ ହେଉଛି ଜୀବନର ଚିରନ୍ତନ ନିୟମ । ସମୟ, ପରିସ୍ଥିତି ଏବଂ ସମାଜ ସହିତ ପ୍ରଥା ଓ ପରମ୍ପରା ମଧ୍ୟ ପରିବର୍ତ୍ତନ ହୋଇଥାଏ । ଏହି ପରିବର୍ତ୍ତନ କେତେବେଳେ ଧୀରେ ଧୀରେ ହୋଇଥାଏ, କେତେବେଳେ ପ୍ରଭାବଶାଳୀ ଭାବରେ ହୋଇଥାଏ । ଆଜିର ଭାରତ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଠିଆ ହୋଇଛି । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଚମତ୍କାର ପ୍ରଗତି ସତ୍ତ୍ୱେ ଆମେ ଆମ ଜୀବନରେ ଏକ ଅଦ୍ଭୁତ ଶୂନ୍ୟତା ଅନୁଭବ କରୁଛୁ । ଭୌତିକ ବିକାଶ ସହିତ ସମାଜ ପାଇଁ ଆବଶ୍ୟକ ମୂଲ୍ୟବୋଧ ଏବଂ ଆଦର୍ଶ ଧୀରେ ଧୀରେ ପଛରେ ପଡ଼ିଯାଉଛି । ପର୍ଯ୍ୟାବରଣ ଅସନ୍ତୁଳନ, ସାମାଜିକ ବିଘଟନ, ପରିବାର ଭାଙ୍ଗିବା, ନୈତିକ ମୂଲ୍ୟବୋଧର ଅବନତି, ଉପଭୋକ୍ତାବାଦ, ଅନ୍ଧାନୁକରଣ ଏବଂ ଆତ୍ମକେନ୍ଦ୍ରିକ ଜୀବନଶୈଳୀ ଆମର ଦ୍ରୁତ ପ୍ରଗତିରୁ ଜନ୍ମିତ ସମସ୍ୟା । ଏହି ସମସ୍ୟାଗୁଡ଼ିକ କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । କିନ୍ତୁ ଭାରତର ଅନନ୍ୟ ଗୁଣ ହେଉଛି ଯେ ଏହା ସର୍ବଦା କେବଳ ଭୌତିକ ପ୍ରଗତି ନୁହେଁ ବରଂ ଜୀବନର ଆଧ୍ୟାତ୍ମିକ ଏବଂ ନୈତିକ ଉନ୍ନତିକୁ ମଧ୍ୟ ପ୍ରାଥମିକତା ଦେଇଆସିଛି । ଯେତେବେଳେ ବି ବିଶ୍ୱ କୌଣସି ସଙ୍କଟର ସମ୍ମୁଖୀନ ହୋଇଛି, ଭାରତ ନିଜର ସାଂସ୍କୃତିକ ଐତିହ୍ୟ ଏବଂ ଜୀବନ ଦର୍ଶନ ଆଧାରିତ ପଥ ବିଶ୍ୱକୁ ଦେଖାଇଛି । ଆଜି ମଧ୍ୟ ଭାରତ କେବଳ ନିଜ ପାଇଁ ନୁହେଁ, ସମଗ୍ର ବିଶ୍ୱକୁ ସଙ୍କଟରୁ ଉଦ୍ଧାର କରିବା ନିମନ୍ତେ ମାର୍ଗଦର୍ଶନ କରିବାର କ୍ଷମତା ରଖିଛି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ ପୂଜନୀୟ ସରସଂଘଚାଳକ ଶ୍ରୀ ମୋହନ ଭାଗବତ ସମାଜ ସମ୍ମୁଖରେ ପଞ୍ଚ ପରିବର୍ତ୍ତନ ବିଷୟ ଉତ୍ଥାପନ କରିଛନ୍ତି । ଏହା କେବଳ କ୍ଷଣିକ ବିଚାର ନୁହେଁ ବରଂ ଜୀବନର ମୂଳ ପର୍ଯ୍ୟନ୍ତ ପହଞ୍ôଚବାର ମାର୍ଗଦର୍ଶନ । ଭାଗବତ ଜୀ ସ୍ପଷ୍ଟ କରିଥିଲେ ଯେ ଯଦି ଆମେ ସମାଜ ଏବଂ ରାଷ୍ଟ୍ରର ଅବସ୍ଥାକୁ ଉନ୍ନତ କରିବାକୁ ଚାହୁଁ, ତେବେ ଏହି କାର୍ଯ୍ୟ କୌଣସି ବାହ୍ୟ ଶକ୍ତି କିମ୍ବା ବିଦେଶୀ ବିଚାରଧାରା ଦ୍ୱାରା ସମ୍ପନ୍ନ ହେବ ନାହିଁ; ଏହି ପରିବର୍ତ୍ତନ ଭିତରୁ ଆସିବ । ପଞ୍ଚ ପରିବର୍ତ୍ତନର ବିଚାର ବ୍ୟକ୍ତିଠାରୁ ଆରମ୍ଭ ହୋଇ ପରିବାର, ସମାଜ, ପ୍ରକୃତି ଏବଂ ରାଷ୍ଟ୍ର ପର୍ଯ୍ୟନ୍ତ ବ୍ୟାପ୍ତ ହୁଏ । ପରିବର୍ତ୍ତନ ପ୍ରଥମେ ବ୍ୟକ୍ତି ଭିତରେ ହେବା ଉଚିତ । ଯେତେବେଳେ ଜଣେ ବ୍ୟକ୍ତି ସଂଯମିତ, ଅନୁଶାସନ, ସଚ୍ଚୋଟତା, ସମର୍ପଣ ,କର୍ତ୍ତବ୍ୟନିଷ୍ଠା ଏବଂ ସରଳତା ସହିତ ବଞ୍ଚିବା ଶିଖିବ, ତେବେ ତାହାର ଆଚରଣ ତାଙ୍କ ପରିବାରକୁ ପ୍ରଭାବିତ କରିବ । ଏକ ସୁସଂସ୍କାରିତ ଏବଂ ସମରସ ପରିବାର ଏକ ସୁସ୍ଥ ସମାଜର ମୂଳଦୁଆ ସ୍ଥାପନ କରେ । ସମାଜର ଏକତା ଏବଂ ସମରସତା ଦ୍ୱାରା ହିଁ ଏକ ରାଷ୍ଟ୍ର ଶକ୍ତିଶାଳୀ ହୋଇଥାଏ । ଏହି ବିଚାର ପଞ୍ଚ ପରିବର୍ତ୍ତନର ମୂଳ ସାର । ଆମ ଦେଶର ଇତିହାସ ଅନେକ ଉଦାହରଣରେ ପରିପୂର୍ଣ୍ଣ ଯାହା ଦର୍ଶାଏ ଯେ ପରିବର୍ତ୍ତନ ବ୍ୟକ୍ତିଠାରୁ ଆରମ୍ଭ ହୁଏ । ମହାତ୍ମା ଗାନ୍ଧୀ ଏହାର ଏକ ଜ୍ୱଳନ୍ତ ଉଦାହରଣ । ସେ ତାଙ୍କ ଜୀବନରେ ସତ୍ୟ ଏବଂ ଅହିଂସାକୁ ଗ୍ରହଣ କରିଥିଲେ ଏବଂ ଏହି ଆଚରଣ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ପ୍ରେରଣା ପାଲଟିଛି । ସେ ପ୍ରମାଣିତ କରିଥିଲେ ଯେ ଆତ୍ମବଳ ଏବଂ ଆବରଣର ଶକ୍ତି ଅନ୍ୟ ଯେକୌଣସି ହିଂସାତ୍ମକ ଆନ୍ଦୋଳନ ଅପେକ୍ଷା ଅଧିକ ପ୍ରଭାବଶାଳୀ । “ଆତ୍ମ ଦୀପୋ ଭବ’, ପ୍ରଥମେ ନିଜକୁ ଆଲୋକିତ କର, ତା’ପରେ ତୁମେ ବିଶ୍ୱକୁ ଆଲୋକିତ କରିପାରିବ । ଜଣେ ବ୍ୟକ୍ତିର ଏହି ପରିବର୍ତ୍ତନ ସେତେବେଳେ ସମ୍ଭବ ଯେତେବେଳେ ସେ ଉପଭୋଗର ପ୍ରଲୋଭନରୁ ନିଜକୁ ମୁକ୍ତ କରେ ଏବଂ ସରଳତା ଏବଂ ସଂଯମକୁ ଗ୍ରହଣ କରେ । ଉପଭୋଗ କେବଳ ସଂସାଧନକୁ ବିବେକହୀନ ଭାବରେ ଦୋହନ କରିଥାଏ ଏଥିସହିତ ମନକୁ ଅସନ୍ତୋଷ ଏବଂ ଲୋଭରେ ମଧ୍ୟ ପୂର୍ଣ୍ଣ କରିଥାଏ । ସଂଯମପୂର୍ଣ୍ଣ ଜୀବନ ଆମକୁ ଅନାବଶ୍ୟକ ଖର୍ଚ୍ଚ ଏବଂ ଦେଖାଇ ହେବାରୁ ରକ୍ଷା କରେ ତଥା ଆତ୍ମିକ ସନ୍ତୋଷ ପ୍ରଦାନ କରେ । ଏହି ଦୃଷ୍ଟିକୋଣ କେବଳ ବ୍ୟକ୍ତି ପାଇଁ ନୁହେଁ ବରଂ ସମାଜ ଓ ପରିବେଶ ପାଇଁ ମଧ୍ୟ ଲାଭଦାୟକ । ଏହାପରେ ପରିବାରରେ ପରିବର୍ତ୍ତନ ଆବଶ୍ୟକ । ଭାରତୀୟ ସଂସ୍କୃତିରେ ପରିବାର କେବଳ ରକ୍ତ ସମ୍ପର୍କ ନୁହେଁ, ବରଂ ସଂସ୍କାରର ଏକ ବିଦ୍ୟାଳୟ । ଏହା ଏପରି ଏକ ସ୍ଥାନ ଯେଉଁଠାରେ ପିଲାମାନେ ପ୍ରେମ, ସହଯୋଗ, ଦାୟିତ୍ୱ ଏବଂ କର୍ତ୍ତବ୍ୟର ପାଠ ଶିଖନ୍ତି । ଆଜି ସାମାଜିକ କୁପ୍ରଥା ଏବଂ ପାଶ୍ଚାତ୍ୟ ଜୀବନଶୈଳୀର ପ୍ରଭାବରେ ପରିବାରଗୁଡ଼ିକ ଖଣ୍ଡବିଖଣ୍ଡିତ ହୋଇ ଯାଉଛି । ପରିବାର ଭାଙ୍ଗିଯିବା ଦ୍ୱାରା ସମାଜରେ ସମ୍ବାଦ, ଆତ୍ମୀୟତା ଏବଂ ସଂସ୍କାରର ମୂଳକୁ ଦୁର୍ବଳ କରିଦେଉଛି ।
ମୋହନ ଭାଗବତ ପରିବାରକୁ ସୁଦୃଢ଼ କରିବା ପାଇଁ କୁଟୁମ୍ବ ପ୍ରବୋଧନର ସଂକଳ୍ପନା ଉପସ୍ଥାପନ କରିଛନ୍ତି । ଏଥିରେ ସେ ବିଶେଷ ଭାବରେ ଛଅଟି କଥା ଉପରେ ଗୁରୁତ୍ୱାରୋପ କରିଛନ୍ତି:ଆଧ୍ୟାତ୍ମିକତାକୁ ବୃଦ୍ଧି କରିବା ପାଇଁ ପରିବାର ସହିତ ଭଜନ ଗାନ ଏବଂ ପ୍ରାର୍ଥନା କରିବା; ସମ୍ବାଦ ବିନିମୟ ଏବଂ ଘନିଷ୍ଠତାକୁ ବୃଦ୍ଧି କରିବା ପାଇଁ ଦିନକୁ ଅତି କମରେ ଥରେ ଏକାଠି ଭୋଜନ କରିବା; ଘରକୁ ଏପରି ଭାବରେ ତିଆରି କର ଯେଉଁଠି ସଂସ୍କୃତି ଏବଂ ମହାପୁରୁଷଙ୍କ ପ୍ରତିଛବିକୁ ପ୍ରତିଫଳିତ ହେଉଥିବ; ଅସ୍ମିତା ଏବଂ ନିଜ ମୂଳ ପିଢି ସହିତ ସଂଯୋଗ ବଜାୟ ରଖିବା ପାଇଁ କଥାବାର୍ତ୍ତାରେ ମାତୃଭାଷା ବ୍ୟବହାର କରିବା; ପୋଷାକ ପିନ୍ଧିବାରେ ସରଳତା ଏବଂ ସଂସ୍କୃତିର ଝଲକ ; ଏବଂ ନୂତନ ପିଢ଼ିକୁ ଦେଶର ଗୌରବମୟ ପରମ୍ପରା ସହିତ ପରିଚିତ କରାଇବା ପାଇଁ ଐତିହାସିକ ତଥା ତୀର୍ଥସ୍ଥଳଗୁଡ଼ିକୁ ସମୟ ସମୟରେ ପରିଦର୍ଶନ କରିବା । ସରଳ ମନେ ହେଉଥିବା ଏହି ପଦକ୍ଷେପଗୁଡ଼ିକ ପାରିବାରିକ ପରିବେଶକୁ ପରିବର୍ତ୍ତନ କରିବାର ସମ୍ଭାବନା ରଖେ ।
ଦ୍ୱିତୀୟ କଥା ହେଉଛି ପରିବାର ମଧ୍ୟରେ ସମରସତା ସ୍ଥାପନ । ଯେକୌଣସି ରାଷ୍ଟ୍ରର ଶକ୍ତି ନିଜ ସମାଜର ଏକତାରେ ରହିଛି । ଦୁର୍ଭାଗ୍ୟବଶତଃ ଆମ ସମାଜରେ ଜାତିଗତ ବିଭାଜନ ବହୁତ ଗଭୀରକୁ ମାଡି ଯାଇଛି । ଏହି ବିଭାଜନ ଆମର ସ୍ୱାଭାବିକ ଜୀବନର ଅଂଶ ନଥିଲା । ବିଦେଶୀ ଆକ୍ରମଣକାରୀ ଏବଂ ଉପନିବେଶବାଦୀ ଶାସକମାନେ ଜାଣିଶୁଣି ଏହାକୁ ପ୍ରୋତ୍ସାହିତ କରିଥିଲେ; ସେମାନେ ଆମର ଦୁର୍ବଳତାରୁ ଫାଇଦା ଉଠାଇ ଆମକୁ ନିଜ ମଧ୍ୟରେ ବିଭାଜିତ କରିଥିଲେ । ଏହା କେବଳ ସମାଜକୁ ଦୁର୍ବଳ କରିନଥିଲା ବରଂ ଆମର ଅର୍ଥନୀତି ଏବଂ ସଂସ୍କୃତିକୁ ମଧ୍ୟ କ୍ଷତି ପହଞ୍ଚାଇଥିଲା ।
ଡକ୍ଟର ବାବାସାହେବ ଆମ୍ବେଦକର ଏହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ସେ ହିନ୍ଦୁ ଧର୍ମର ବିରୋଧୀ ନଥିଲେ, ବରଂ ଏଥିରେ ପ୍ରଚଳିତ କୁସଂସ୍କାରଗୁଡ଼ିକୁ ଦୂର କରିବାକୁ ଚାହୁଁଥିଲେ । ସେ ବିଶ୍ୱାସ କରୁଥିଲେ ଯେ ସାମାଜିକ ନ୍ୟାୟ ଏବଂ ସମାନତା ବିନା ରାଷ୍ଟ୍ରର ପ୍ରଗତି ହୋଇପାରିବ ନାହିଁ । ତାଙ୍କ ଜୀବନ ଏବଂ ସଂଘର୍ଷ ଆମକୁ ଶିକ୍ଷା ଦିଏ ଯେ ସାମାଜ ପରିବର୍ତ୍ତନ କେବଳ ଆଇନ କିମ୍ବା ଦଣ୍ଡ ମାଧ୍ୟମରେ ନୁହେଁ, ବରଂ ଦୃଷ୍ଟିକୋଣରେ ପରିବର୍ତ୍ତନ ମାଧ୍ୟମରେ ଆସେ । ସମାଜକୁ ଏକାଠି କରିବା ପାଇଁ ସଂଘ ପ୍ରତିଷ୍ଠା ହେବା ଦିନଠାରୁ “ସମତା’ ‘ମମତା’ ଏବଂ “ସମରସତା’ ନୀତି ଗ୍ରହଣ କରିଛି । ଏହି ଆଭିମୁଖ୍ୟ କାହାକୁ ଚାପ ପକାଇବା କିମ୍ବା ଦ୍ୱନ୍ଦ୍ୱ ସୃଷ୍ଟି କରିବା ବିଷୟରେ ନୁହେଁ, ବରଂ ହୃଦୟକୁ ପରିବର୍ତ୍ତନ କରିବା ବିଷୟରେ ଥିଲା । ଅନେକ ସେବା କାର୍ଯ୍ୟକଳାପ ମାଧ୍ୟମରେ ସଂଘ ଜାତି ଏବଂ ପନ୍ଥର ଉପରକୁ ଉଠି ସମାଜର ବଞ୍ଚିତ ବର୍ଗ ପର୍ଯ୍ୟନ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସ୍ୱାଭିମାନ ପ୍ରଦାନ କରିଛି । ବନବାସୀ କଲ୍ୟାଣ ଆଶ୍ରମ ଏବଂ ସେବା ଭାରତୀ ଭଳି ସଂଗଠନ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଜନଜାତି ଏବଂ ବଞ୍ôଚତ ବର୍ଗ ପାଇଁ ସ୍କୁଲ, ହସ୍ପିଟାଲ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଅନୁଷ୍ଠାନ ପ୍ରତିଷ୍ଠା କରି ସମାଜକୁ ମଜବୁତ କରିଛି ।
ଚତୁର୍ଥଟି ହେଉଛି ପ୍ରକୃତି ସହିତ ଆମ ସମ୍ପର୍କରେ ପରିବର୍ତ୍ତନ: ଆଧୁନିକ ବିକାଶ ପାଇଁ ଅନ୍ଧ ଦୌଡ଼ ଆମକୁ ପ୍ରକୃତିଠାରୁ ଦୂରେଇ ଦେଇଛି । ଜଙ୍ଗଲ କଟାଯାଉଛି, ନଦୀ ଶୁଖିଯାଉଛି, ବାୟୁ ଏବଂ ମାଟି ପ୍ରଦୂଷିତ ହେଉଛି । ଜଳବାୟୁ ପରିବର୍ତ୍ତନ ମାନବତାର ଅସ୍ତିତ୍ୱକୁ ବିପଦରେ ପକାଇଛି । ଭାରତୀୟ ସଂସ୍କୃତି ପ୍ରକୃତିକୁ “ମାତା’ର ମାନ୍ୟତା ଦେଇଛି । “ମାତା ଭୂମି: ପୁତ୍ରହଂ ପୃଥିବ୍ୟା”। ଏଥିପାଇଁ ଆମକୁ ପ୍ରକୃତି ସହିତ ଉପଭୋଗ ନୁହେଁ ସହଜୀବନର ସମ୍ପର୍କ ବିକଶିତ କରିବାକୁ ପଡିବ ।
ମୋହନ ଭାଗବତଙ୍କ ବୃକ୍ଷରୋପଣ, ପାଣି ସଂରକ୍ଷଣ ଏବଂ ପଲିଥିନ୍ ବର୍ଜନ ପାଇଁ ଆହ୍ୱାନ କେବଳ ଏକ ପରିବେଶ ସୁରକ୍ଷା ଅଭିଯାନର ସ୍ଲୋଗାନ ନୁହେଁ, ବରଂ ଜୀବନ ଜିଇଁବାର ଏକ ବାର୍ତ୍ତା । ଶକ୍ତି ସଂରକ୍ଷଣ, ଜଳର ବିବେକପୂର୍ଣ୍ଣ ବ୍ୟବହାର ଏବଂ କ୍ଷତିକାରକ ରାସାୟନିକ ପଦାର୍ଥରୁ ବଞ୍ଚାଇବା କେବଳ ସରକାରୀ ପଦକ୍ଷେପ ଦ୍ୱାରା ନୁହେଁ, ବରଂ ସାଧାରଣ ଲୋକଙ୍କ ଅଭ୍ୟାସର ପରିବର୍ତ୍ତନ ଦ୍ୱାରା ସମ୍ଭବ ହେବ । ଚିପକୋ ଆନ୍ଦୋଳନର ମହିଳାମାନେ ବୃକ୍ଷର ସୁରକ୍ଷା ପାଇଁ ଗଛକୁ ନିଜ ଶରୀର ଦ୍ୱାରା ଆବୃତ୍ତ କରି ରଖିଥିଲେ, ଏହା ଦର୍ଶାଏ ଯେ ପ୍ରକୃତି ସଂରକ୍ଷଣ କେବଳ ଏକ ସାମୂହିକ ସଂକଳ୍ପ ଦ୍ୱାରା ସଫଳ ହୋଇପାରେ ।
ପଞ୍ଚ ପରିବର୍ତ୍ତନର ଅନ୍ତିମ ଆୟାମହେଉଛି ରାଷ୍ଟ୍ର ଜୀବନରେ ପରିବର୍ତ୍ତନ । ରାଷ୍ଟ୍ର କେବଳ ଏକ ଭୌଗୋଳିକ ସତ୍ତା ନୁହେଁ; ଏହା ଇତିହାସ, ସଂସ୍କୃତି ଏବଂ ପରମ୍ପରାର ଏକ ଜୀବନ୍ତ ପ୍ରବାହ । ରାଷ୍ଟ୍ର ସେତେବେଳେ ଶକ୍ତିଶାଳୀ ହେବ ଯେତେବେଳେ ନିଜର ନାଗରିକମାନେ ସେମାନଙ୍କର କର୍ତ୍ତବ୍ୟ ପ୍ରତି ସଜାଗ ହେବେ ଏବଂ ବ୍ୟକ୍ତିଗତ ସ୍ୱାର୍ଥରୁ ଉପରକୁ ଉଠି ରାଷ୍ଟ୍ରୀୟ ସ୍ୱାର୍ଥକୁ ପ୍ରାଥମିକତା ଦେବେ । ଯେତେବେଳେ ସମାଜ ସଂଗଠିତ, ସ୍ୱାବଲମ୍ବୀ ଏବଂ କର୍ତ୍ତବ୍ୟପରାୟଣ ହେବ, ସେତେବେଳେ ହିଁ ରାଷ୍ଟ୍ର ସମୃଦ୍ଧ ଏବଂ ସୁରକ୍ଷିତ ହେବ ।
ଆମ ସ୍ୱାଧୀନତା ସଂଗ୍ରାମର ଇତିହାସ ଆମକୁ ସୂଚାଇ ଦିଏ ଯେ ଲକ୍ଷ ଲକ୍ଷ ସାଧାରଣ ନାଗରିକଙ୍କ ଛୋଟ ଛୋଟ ବଳିଦାନ ଭାରତକୁ ସ୍ୱାଧୀନତା କରାଇଥିଲା । ଏହି ସମର୍ପଣ ଏବଂ ତ୍ୟାଗ ହେଉଛି ରାଷ୍ଟ୍ର ଜୀବନର ପରିବର୍ତ୍ତନର ଆଧାର । ଆଜି ଆମ ପାଇଁ ପୁଣି ସେହି ଭାବନାର ଆବଶ୍ୟକତା ରହିଛି । ଆମକୁ ବିଦ୍ୟୁତ୍, ଜଳ, ପ୍ରାକୃତିକ ସମ୍ପଦ ଏବଂ ଦେଶର ପ୍ରତ୍ୟେକ ସଫଳତାକୁ ଆଦର କରିବା ଉଚିତ । ଆମେ ବିଦ୍ୟୁତ୍, ଜଳ, ପ୍ରାକୃତିକ ସମ୍ପଦ ଏବଂ ଦେଶର ପ୍ରତ୍ୟେକ ଉପଲବ୍ଧିକୁ ରାଷ୍ଟ୍ରୀୟ ଐତିହ୍ୟ ଭାବରେ ବ୍ୟବହାର କରି ସଂରକ୍ଷଣ କରିପାରିଲେ ତାହାକୁ ବଞ୍ଚାଇ ପାରିବା ।
ପଞ୍ଚ ପରିବର୍ତ୍ତନ କେବଳ ଏକ ସିଦ୍ଧାନ୍ତ ନୁହେଁ, ବରଂ ଏକ ଜୀବନ ଜିଇବାର ସମଗ୍ର ପଦ୍ଧତି । ଏହା ଆମକୁ କହେ ଯେ ଭୌତିକ ସୁଖ ସୁବିଧାରୁ ଆଗକୁ ଗଲେ ଜୀବନ ସାର୍ଥକତା ହୋଇଥାଏ । ଆତ୍ମସଂଯମ, ପରିବାରରେ ପ୍ରେମ ଏବଂ ସଂସ୍କାର, ସମାଜରେ ସମରସତା, ପ୍ରକୃତି ସହିତ ସନ୍ତୁଳନ ଏବଂ ରାଷ୍ଟ୍ରହୀତର ଭାବନା – ଏସବୁ ମିଶି କେବଳ ଭାରତକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ଶାନ୍ତି, ସନ୍ତୁଳନ ଏବଂ ସମୃଦ୍ଧି ଆଡ଼କୁ ନେଇଯାଇପାରିବ । ଭାରତର ସନାତନ ସଂସ୍କୃତି ଯୁଗ ଯୁଗ ଧରି ବିଶ୍ୱକୁ ପଥ ଦେଖାଇଛି ।
ଆଜି ଆମକୁ ଆମର ମୂଳକୁ ଫେରିବା ସହିତ ଆମ ଜୀବନରେ ପଞ୍ଚ ପରିବର୍ତ୍ତନର ନୀତିଗୁଡ଼ିକୁ ଗ୍ରହଣ କରିବାକୁ ପଡିବ । ଏହା କରିବା ଦ୍ୱାରା ଭାରତ କେବଳ ନିଜର ସଙ୍କଟକୁ ଦୂର କରିବ ନାହିଁ ବରଂ ବିଶ୍ୱକୁ ଏକ ନୂତନ ଦିଗଦର୍ଶନ ଦେଇପାରିବ । ଏହି ହେଉଛି ସେହି ମାର୍ଗ, ଏହି ମାର୍ଗରେ ଚାଲି ଭାରତ ପୁଣି ଥରେ “ବିଶ୍ୱଗୁରୁ’ ଭୂମିକା ତୁଲାଇ ପାରିବ ।