ବିହାର ରାଜନୀତିରେ ଝଡ଼: ରାଜନୀତିରୁ ସନ୍ନ୍ୟାସ ନେଲେ ଲାଲୁଙ୍କ ଝିଅ

ପରିବାରକୁ ତ୍ୟାଗ କଲେ

ପାଟନା, ୧୫/୧୧: ବିହାର ବିଧାନସଭା ନିର୍ବାଚନରେ ଆରଜେଡିର ଶୋଚନୀୟ ପରାଜୟର ଗୋଟିଏ ଦିନ ପରେ ଦଳର ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ରାଜନୀତି ଛାଡ଼ିବା ସହ ପରିବାରକୁ ମଧ୍ୟ ତ୍ୟାଗ କରିଛନ୍ତି। ଏ ନେଇ ସେ ଏକ୍ସରେ ଏକ ପୋଷ୍ଟ କରି ଘୋଷଣା କରି କହିଛନ୍ତି।

ସେ ତେଜସ୍ୱୀ ଯାଦବଙ୍କ ଜଣେ ଘନିଷ୍ଠ ସହଯୋଗୀ ବରିଷ୍ଠ RJD ନେତା ସଞ୍ଜୟ ଯାଦବ ଏବଂ ରାମିଜଙ୍କୁ ଦଳର ଶୋଚନୀୟ ପରାଜୟ ପାଇଁ ଦାୟୀ କରିଛନ୍ତି। ଯଦିଓ ଦଳ ଛାଡ଼ିବାର କାରଣ ସେ ପ୍ରକାଶ କରି ନାହାନ୍ତି।

ଆଚାର୍ଯ୍ୟଙ୍କ ପୋଷ୍ଟ ପରିବାର ଏବଂ ଦଳ ଭିତରେ ଅଶାନ୍ତିକୁ ଆହୁରି ବଢ଼ାଇବାର ଆଶଙ୍କା କରାଯାଉଛି। ଗତ କିଛି ମାସ ପୂର୍ବରୁ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କୁ ବହିଷ୍କାର କରାଯାଇଥିଲା।

ଏହା ପରେ ତେଜ ପ୍ରତାପ ଜନଶକ୍ତି ଜନତା ଦଳ ଗଠନ କରିଥିଲେ। ଏବଂ ଦଳ ଏକାକୀ ନିର୍ବାଚନ ଲଢ଼ିଥିଲା, ଯଦିଓ ଜିତି ପାରିନଥିଲା। ଅନ୍ୟପଟେ ତେଜ ପ୍ରତାପଙ୍କୁ ଦଳରୁ ବାହାର କରିବା ଯୋଗୁଁ ଅସନ୍ତୁଷ୍ଟ ଥିଲେ ରୋହିଣୀ। ଦଳର ନେତା ଓ ପରିବାର ସଦସ୍ୟଙ୍କୁ ଅନଫଲୋ କରି ଦେଇଥିଲେ। ୨୦୨୨ ରେ ଲାଲୁ ଯାଦବଙ୍କୁ ଏକ କିଡନୀ ଦାନ କରି ବେଶ୍ ଚର୍ଚ୍ଚାରେ ଥିଲେ।

ସୂଚନାଯୋଗ୍ୟ, ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଆରଜେଡି ମାତ୍ର ୨୫ଟି ଆସନ ଜିତିବାରେ ସଫଳ ହୋଇଥିଲା ଏବଂ ବିରୋଧୀ ମହାଗଠବନ୍ଧନ ମାତ୍ର ୩୫ଟି ଆସନରେ ସୀମିତ ରହିଥିଲା। ଅନ୍ୟପକ୍ଷରେ, ଏନଡିଏ ୨୦୨ଟି ଆସନରେ ବିଜୟୀ ହୋଇଥିଲା।