ସାହସ ଅଛି ତ ମୋ ଉପରେ ବୁଲଡୋଜର ଚଢ଼ାଅ: ମମତା ବାନାର୍ଜୀ

ଅଭିଷେକ ବାନାର୍ଜୀଙ୍କ ଘର ଉପରେ ଆକ୍ରମଣକୁ ନେଇ ବିଜେପି ଉପରେ ବର୍ଷିଲେ ମମତା

କୋଲକାତା, ୦୭/୧୧: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ତେଜିଲା ବିଜେପି ଓ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ବିବାଦ। ନିଜ ପୁତୁରା ତଥା ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବାସଭବନ ଉପରେ ଆକ୍ରମଣ ଏବଂ କୋଲକାତାର କାଳୀଘାଟରେ କାଳୀପୂଜା ଆୟୋଜନରେ ବାଧା ସୃଷ୍ଟି ଅଭିଯୋଗକୁ ନେଇ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଘଟଣା ପରେ ଅଭିଷେକଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିବା ସହ ଗଣମାଧ୍ୟମ ସମ୍ମୁଖରେ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମମତା।

ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ମମତା କହିଛନ୍ତି, “ତୁମ ପାଖରେ କେତେ ବୁଲଡୋଜର ଅଛି? ଆସ, ମୁଁ ତୁମ ସାମ୍ନାରେ ଛିଡ଼ା ହୋଇଛି। ମୋ ଶରୀର ଉପରେ, ମୋ ଛାତି ଉପରେ ବୁଲଡୋଜର ଚଢ଼ାଇ ଦିଅ। ତୁମର କେତେ ସାହସ ଅଛି, ମୁଁ ଦେଖିବାକୁ ଚାହୁଁଛି।” ମମତାଙ୍କ ଏହି ବୟାନ ପରେ ବଙ୍ଗ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ କୋଲକାତାର କାଳୀଘାଟ ରୋଡ୍‌ରେ ଥିବା ଅଭିଷେକ ବାନାର୍ଜୀଙ୍କ ବାସଭବନ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବିଜେପି ସମର୍ଥିତ କିଛି ଦୁର୍ବୃତ୍ତ ଏହି ଆକ୍ରମଣ କରିଥିବା ଅଭିଷେକ ଅଭିଯୋଗ କରିଛନ୍ତି। ଟିଏମ୍‌ସିର ମମତା ବାନାର୍ଜୀଙ୍କ ଗୋଷ୍ଠୀର ସମର୍ଥକଙ୍କ ସହ ଏକ ବିବାଦ ପରେ ଏହି ଘଟଣା ଘଟିଥିବା କୁହାଯାଇଛି।

ଏହି ଆକ୍ରମଣକୁ ନେଇ ଅଭିଷେକ କହିଛନ୍ତି, ଦୁଇ ଦିନ ଧରି ତାଙ୍କ ଘର ଉପରେ ନଜର ରଖିବା ପରେ ରାତି ୨ଟାରେ ବିଜେପିର ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଏହାର ଭିଡିଓ ଫୁଟେଜ୍‌ ଦେଖିଲେ ଘଟଣାର ସତ୍ୟତା ଜଣାପଡ଼ିବ। ଯଦି ଜଣେ ନିର୍ବାଚିତ ସାଂସଦଙ୍କ ଘର ମଧ୍ୟ ସୁରକ୍ଷିତ ନୁହେଁ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା କେମିତି ରହିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଏହାସହ ଗତ ଛଅ ମାସ ମଧ୍ୟରେ ତାଙ୍କ ଜୀବନ ଉପରେ ସପ୍ତମ ଥର ପାଇଁ ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଷେକ ଅଭିଯୋଗ କରିଛନ୍ତି। ଅଭିଯୋଗ ସତ୍ତ୍ୱେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସେ ଅଭିଯୋଗ କରିଛନ୍ତି।