ଢାକା, ୧୭/୧୧: ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ରାୟ ଶୁଣାଇଛନ୍ତି ବାଂଲାଦେଶ ଇଣ୍ଟରନ୍ୟାସନାଲ୍ କ୍ରାଇମ୍ ଟ୍ରିବୁନାଲ। ୨୦୨୪ ବାଂଲାଦେଶରେ ହୋଇଥିବା ନରସଂହାର ମାମଲାରେ ରାୟ ଶୁଣାଇଛନ୍ତି ବାଂଲାଦେଶ ଆଇସିଟି। ହସିନାଙ୍କ ବ୍ୟତୀତ ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ କମଲଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଛି। କିନ୍ତୁ ଫାଶୀ ଦଣ୍ଡାଦେଶରୁ ବର୍ତ୍ତି ଯାଇଛନ୍ତି ପୂର୍ବତନ ପୋଲିସ ମୁଖ୍ୟ ଚୌଧୁରୀ ଅବଦୁଲ୍ଲା ଅଲ-ମାମୁନ। ତାଙ୍କୁ ପାଞ୍ଚ ବର୍ଷ ଜେଲଦଣ୍ଡ ଦିଆଯାଇଛି।
୨୦୨୪ରେ ଶେଖ୍ ହସିନାଙ୍କ ସରକାର ବିରୋଧରେ ହିଂସାତ୍ମକ ଆନ୍ଦୋଳନରେ ପ୍ରାୟ ୧୪୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏନସିପି ଛାତ୍ର ସଙ୍ଗଠନ ଓ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ଏହି ଆନ୍ଦୋଳନରେ ହୋଇଥିଲେ। ଫଳ ସ୍ୱରୂପ ଶେଖ୍ ହସିନାଙ୍କୁ ଗାଦିଚ୍ୟୁତ କରିବା ପାଇଁ ପଡ଼ିଥିଲା। ଏହା ପରେ ଶେଖ୍ ହସିନା ତୁରନ୍ତ ଦେଶ ଛାଡି ପଡୋଶୀ ଭାରତରେ ଆଶ୍ରୟ ନେଇଥିଲେ।
ତେବେ ଆନ୍ଦୋଳନ ସମୟରେ ବିକ୍ଷୋଭକାରୀମାନଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିପାଇଁ ଏହି ଆନ୍ଦୋଳନ ପାଇଁ ଶେଖ୍ ହସିନାଙ୍କୁ ଦାୟୀ କରାଯାଇଥିଲା। ହସିନା ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଗିରଫ ପରୱାନା ଜାରି କରିଥିଲେ।
ଶେଖ୍ ହାସିନା, ତାଙ୍କ ଗୃହମନ୍ତ୍ରୀ ଅସଦ-ଉଜ-ଜମାନ ଖାନ କମଲ ଏବଂ ତତ୍କାଳୀନ ପୋଲିସ ମହାନିରୀକ୍ଷକ (ଆଇଜିପି) ଚୌଧୁରୀ ଅବଦୁଲ୍ଲା ଅଲ-ମାମୁନଙ୍କ ବିରୋଧରେ ଗତବର୍ଷ ସରକାର ବିରୋଧୀ ପ୍ରତିବାଦ ସମୟରେ ମାନବିକତା ବିରୋଧୀ ଅପରାଧ ଅଭିଯୋଗ ଆସିଛି। ଏଥିରେ ହତ୍ୟା, ହତ୍ୟା ଉଦ୍ୟମ, ନିର୍ଯାତନା ଏବଂ ଅନ୍ୟାନ୍ୟ ଅମାନବୀୟ କାର୍ଯ୍ୟ ରହିଛି। ସରକାରୀ ପକ୍ଷ ଶେଖ୍ ହାସିନାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲା। ତେବେ ଏ ସମୟରେ ଶେଖ୍ ହାସିନା ବର୍ତ୍ତମାନ ଭାରତରେ ଆଶ୍ରୟ ନେଇଛନ୍ତି।
ଶେଖ୍ ହସିନାଙ୍କ ବିରୋଧରେ ରାୟ ଆସିବାକୁ ଦେଖି ତାଙ୍କ ପାର୍ଟି ଆୱାମୀ ଲିଗ୍ ପକ୍ଷରୁ ଦେଶରେ ବନ୍ଦ ପାଳନ କରାଯାଇଛି। ପ୍ରବଳ ଉତ୍ତେଜନା ଦେଖା ଦେଇଛି। ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ହିଂସା ଘଟାଇଲେ ତୁରନ୍ତ ଗୁଳି କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ବର୍ତ୍ତମାନର ୟୁନୁସ୍ ସରକାର।
ରାୟ ପୂର୍ବରୁ, ହସିନା ଏକ ଅଡିଓ ବାର୍ତ୍ତା ଜାରି କରି ସମର୍ଥକମାନଙ୍କୁ ଚିନ୍ତିତ ନ ହେବାକୁ ଅନୁରୋଧ କରିଥିଲେ ଏବଂ ବନ୍ଦ ଡାକରା ଦେଇଥିଲେ। ଢାକା ଏବଂ ଦେଶବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ହଜାର ହଜାର ସୈନିକ, ଅର୍ଦ୍ଧସାମରିକ ବାହିନୀ ଏବଂ ପୋଲିସ ମୁତୟନ କରାଯାଇଥିଲା।