ବାପା, ମା’ ଛେଉଣ୍ଡ ପିଲାଙ୍କୁ “ଆଶା” ତରଫରୁ ଶୀତ ବସ୍ତ୍ର ପ୍ରଦାନ

ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ

କେନ୍ଦୁଝର, ୨୨/୧୧: ଆଜି ଘୁଙ୍ଗି ଗାଁର ବାପ, ମା’ ଛେଉଣ୍ଡ ଚାରି ଭାଇ ଭଉଣୀଙ୍କୁ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଆଶା” ତରଫରୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି।

ଏଇ ନିକଟ ଅତୀତରେ “ଆଶା” ଦୃଷ୍ଟିକୁ ଆସିଥିଲା – ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ ଘୁଙ୍ଗି ଗାଁର ଈଶ୍ୱର ଜୁଆଙ୍ଗଙ୍କ ଚାରି ଅନାଥ ପିଲାଙ୍କ କଥା। ଈଶ୍ବରଙ୍କ ମୃତ୍ୟୁ ହୋଇଥିଲା ୨୦୨୨ ମସିହାରେ। ମା’ ଯଶ୍ମୀନ୍ ମଧ୍ୟ ଆରପାରିକୁ ଚାଲିଗଲା ଚଳିତବର୍ଷ।‌ ଚାରି ଭାଇ ଭଉଣୀ ଘରେ ମୁରବି ବିହୀନ, ଏକାଟିଆ ଓ‌ବେସାହାରା। ପଡିଶା ଲୋକେ ଗଣ୍ଡେ ଖାଇବାକୁ ଦେଉଛନ୍ତି। ଆଉ କିଛି ନାହିଁ। ପୋଷାକ, ଔଷଧ, ତେଲ, ସାବୁନ୍ କଥା କେଉଁଠୁ ଆସିବ? କିଏ ଦେବ? କେଉଁଠୁ ଆଣିବ?

“ଆଶା” ର ସ୍ଵେଚ୍ଛାସେବୀ ମାନେ ନିଜ ନିଜ ମଧ୍ୟରେ କିଛି ଅର୍ଥ ସଙ୍ଗ୍ରହ କରି ପିଲାଙ୍କ ପାଇଁ ଶୀତ ବସ୍ତ୍ର ଯଥା – ସ୍ଵେଟର, ଶାଲ୍‌ ଓ ଟୋପି କିଣି ଆଜି ଦେଇ ଆସିଛନ୍ତି। ପିଲାଙ୍କ ମୁହଁରେ ଟିକିଏ ଖୁସି ଦେଖିବାକୁ ମିଳିଥିଲା। ଏ ଶୀତ ବସ୍ତ୍ର ଯାହା ବି ହେଉ, ଯେତେ ଦରର ହେଉ ନା କାହିଁକି, ପିଲାଙ୍କ ମୁହଁ କହୁଥିଲା – ସେ ଛେଉଣ୍ଡ ହେଲେ ବି, ଆଉ କେହି ତାଙ୍କ ସହିତ ଅଛନ୍ତି। ଭଲ ମନ୍ଦରେ ଛିଡା ହେଲା ପରି କେହିତ ଅଛନ୍ତି। ସେମାନେ ଛେଉଣ୍ଡ ନିଶ୍ଚିତ, କିନ୍ତୁ ବେସାହାରା ନୁହନ୍ତି। ଏଇ ଚାହାଣି ଦେଖିବାକୁ ପାଇଥିଲେ ସ୍ଵେଚ୍ଛାସେବୀ ମାନେ। ସେମାନଙ୍କୁ ମଧ୍ୟ ଆତ୍ମ ତୃପ୍ତି ମିଳିଥିଲା ଯେ ସେ କାହା ପାଇଁ ତ କିଛି କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପିଲାଙ୍କ ରହିବା ପାଇଁ ଏକ ପକ୍କା ଘର ଯୋଗାଇ ଦେବା, ପାଠ ପଢୁଥିବା ପିଲାଙ୍କୁ କୈ।ଣସି ସରକାରୀ ଆବାସିକ ବିଦ୍ୟାଳୟରେ ଭର୍ତ୍ତି କରିବା, ଜୀବିକା ପାଇଁ ତତ୍ କ୍ଷଣାତ ଅର୍ଥ ବ୍ୟବସ୍ଥା କରିବା, ଆଗାମୀ ଦିନରେ ନିତିଦିନିଆ ଗୁଜୁରାଣ ମେଣ୍ଟାଇବା ପାଇଁ ଏକ ସ୍ଥାୟୀ ରୋଜଗାର ପନ୍ଥା ଯୋଗାଇ ଦେବାକୁ “ଆଶା” ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଛି। ସରକାର ବିଚାର କରିବେ ବୋଲି ଆଶା ରଖିଛନ୍ତି ଆଶାର ପ୍ରତିଷ୍ଠାତା ଶ୍ରୀ ଡମ୍ବରୁଧର ଘଣା।

ସ୍ଵେଚ୍ଛାସେବୀ ମାନଙ୍କ ମଧ୍ୟରେ ଥିଲେ ସର୍ବଶ୍ରୀ କୃଷ୍ଣ ଚନ୍ଦ୍ର ମହାନ୍ତ, ଦୁଃଶାସନ ମହାନ୍ତ, ବିଜୟ କୁମାର ଘଣା, ଶ୍ରୀମତୀ ସତ୍ୟଭାମା ମହାନ୍ତ, ଶ୍ରୀମତୀ ମିନତୀ ମହାନ୍ତ ଓ ଶ୍ରୀମତୀ ସୁଲୋଚନା ମହାନ୍ତ ।