ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟର ଜଣେ ଅବିସ୍ମରଣୀୟ ସାଧକ

କିପରି ମିଳିଥିଲା ‘କାନ୍ତକବି’ ଉପାଧି

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮– ୨୪ ଫେବ୍ରୁଆରୀ ୧୯୫୩) ଓଡ଼ିଆ ସାହିତ୍ୟର ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ। ସେ ଜଣେ କବି, ଲେଖକ, ନାଟ୍ୟକାର ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ। ସେ ଉତ୍କଳ ସମ୍ମିଳନୀର ସକ୍ରିୟ ସଦସ୍ୟ ଥିଲେ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖରେ କଟକ ଜିଲ୍ଲାର ବାଖରାବାଦର ଧୂଆଁପତ୍ରିଆ ଗଳିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୈତୃକ ଘର ହେଉଛି ଭଦ୍ରକ ଜିଲ୍ଲାର ତିହିଡି ବ୍ଲକର ତଳପଦା ଗ୍ରାମରେ। ତାଙ୍କ ପିତା ହେଉଛନ୍ତି ଭାଗବତ ପ୍ରସାଦ ସମନ୍ତରାୟ ଏବଂ ମାଆ ରାଧାମଣି।

କଟକ, ଭଦ୍ରକ ଏବଂ କୋଲକାତାରେ ଶିକ୍ଷା ଗ୍ରହଣ କରିଥିଲେ। ଲକ୍ଷ୍ମୀକାନ୍ତ ମହାପାତ୍ର ହାଇସ୍କୁଲରେ ପଢ଼ିବା ସମୟରେ ଇଂରେଜମାନଙ୍କ ବିରୋଧରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ଓ ଇଂରେଜ ସୈନ୍ୟମାନଙ୍କଦ୍ୱାରା ବନ୍ଦୀ ହୋଇ ଜେଲ ମଧ୍ୟ ଯାଇଥିଲେ।୧୯୧୩ରେ ସେ ରେଭେନ୍ସା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ସାଧାରଣ ଜନତାଙ୍କୁ ଜାତୀୟତା ଆନ୍ଦୋଳନରେ ଭାଗ ନେବା ପାଇଁ ଆକର୍ଷିତ କରିବା ପାଇଁ କାନ୍ତକବି ଶ୍ରୀ ମହାପାତ୍ର ଗଳ୍ପ, ଉପନ୍ୟାସ, ନାଟକ ଓ କବିତା ଲେଖି ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ବଢ଼ାଇବାରେ ଲାଗିଥିଲେ। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଝଲକ ଦେଖିବାକୁ ମିଳିଥାଏ।

ସେ ଅନେକ ଦେଶ ପ୍ରେମ କବିତା ଲେଖିଥିଲେ। ଯାହା ମଧ୍ୟରୁ ବନ୍ଦେ ଉତ୍କଳ ଜନନୀ ଗୋଟିଏ। ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ୧୯୧୨ ମସିହାରେ ବାଲେଶ୍ୱରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଧିବେଶନରେ ପ୍ରଥମଥର ପାଇଁ ଗାନ କରାଯାଇଥିଲା ଓ ମଧୁସୂଦନ ଦାସ ଏହାର ଭୂୟସୀ ପ୍ରଶଂସା କରିଥିଲେ। ବନ୍ଦେ ଉତ୍କଳ ଜନନୀ, ଓଡ଼ିଶାର ରାଜ୍ୟ ସଙ୍ଗୀତ ଅଟେ। ୨୦୨୦ ମସିହା ଜୁନ ୦୭ ତାରିଖରେ ଓଡ଼ିଶା ସରକାର ଏହି ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଥିଲେ।

ତାଙ୍କ ଦ୍ବାରା ରଚିତ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ, ସ୍ୱରାଜ ଓଡ଼ିଶାରେ ଘରେ ଘରେ ଲୋକପ୍ରିୟ ହୋଇଥିଲା।

୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲ ପ୍ରାଙ୍ଗଣରେ ଲକ୍ଷ୍ମୀନାରାୟଣ ସାହୁଙ୍କ ଉଦ୍ୟମରେ ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ତାଙ୍କୁ “କାନ୍ତକବି” ଉପାଧି ଦିଆଯାଇଥିଲା।

ସେ ଅନେକ ବ୍ୟଙ୍ଗ ରଚନା କରିଥିଲେ। ମାସିକ ସାହିତ୍ୟ ପତ୍ରିକା ଡଗରର ପ୍ରତିଷ୍ଠାତା ମଧ୍ୟ ଥିଲେ। ମାତ୍ର ୬୪ ବର୍ଷ ହୋଇଥିବା ବେଳେ ସେ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ। ୧୯୫୩ ମସିହା ଫେବୃୟାରୀ ୨୪ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା।