ଭୁବନେଶ୍ୱରରେ ‘ପୂର୍ବୋଦୟ ଦୃଷ୍ଟିକୋଣ’ ଉପରେ ଆନ୍ତର୍ଜାତୀୟ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା
ଭାରତର ପୂର୍ବ ଉପକୂଳ ଏବଂ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ ଉର୍ଜା ଭାଗିଦାରୀ ବୃଦ୍ଧି ପାଇଁ ଆହ୍ୱାନ
ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୧୩/୧୨: ‘ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ । ଏହି ଆହ୍ୱାନ ମଧ୍ୟରେ ଥିବା ସମ୍ଭାବନାକୁ ବାସ୍ତବର ରୂପ ଦେବା ସହ ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବା ପାଇଁ ସମସ୍ତେ ମିଳିତ ଭାବେ ଆଗେଇ ଆସିବା ଦରକାର ବୋଲି ଆଜି ଭୁବନେଶ୍ୱର ଠାରେ ‘ପୂର୍ବୋଦୟ ଦୃଷ୍ଟିକୋଣ – ୨୦୨୫’ ଉପରେ ଆୟୋଜିତ ଆନ୍ତର୍ଜାତୀୟ ସମ୍ମିଳନୀର ତୃତୀୟ ସଂସ୍କରଣରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏବଂ ଦ ଏନର୍ଜି ଫୋରମ୍ (ଟିଇଏଫ)ର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାକୁ ଆଗକୁ ନେବା ଦିଗରେ ଏଭଳି ଆୟୋଜନ ସ୍ୱାଗତଯୋଗ୍ୟ । ୨୦୧୬ ମସିହା ଫେବୃଆରୀ ୬ ତାରିଖରେ ଇଣ୍ଡିଆନ ପାରାଦୀପ ରିଫାଇନାରୀକୁ ଦେଶ ପାଇଁ ଉତ୍ସର୍ଗ କରିବା ସମୟରେ ପ୍ରଧାନମନ୍ତ୍ରୀ ପ୍ରଥମେ ‘ପୂର୍ବୋଦୟ’ର ଆଧାରଶିଳା ରଖିଥିଲେ । କେନ୍ଦ୍ର ବଜେଟ୍ ୨୦୨୪ରେ ମଧ୍ୟ ଏହି ପୂର୍ବୋଦୟ ଯୋଜନାକୁ ଆଣି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶକୁ ନେଇ ଗଠିତ ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ଏହି ଅଞ୍ଚଳକୁ ବିକଶିତ ଭାରତର ଅଭିବୃଦ୍ଧି ଇଞ୍ଜିନ ଭାବରେ ରୂପାନ୍ତରିତ କରିବା ।
ପୂର୍ବୋଦୟର ପ୍ରବେଶପଥ ଏବଂ ଶକ୍ତି ନିରାପତ୍ତାଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇ ସେ କହିଛନ୍ତି ଯେ ପାରାଦୀପ, ଧାମରା ଏବଂ ଗୋପାଳପୁର ଭଳି ପ୍ରମୁଖ ବନ୍ଦର ଏବଂ ଖଣିଜ ଭିତ୍ତିକ ଶିଳ୍ପ ସହିତ ଓଡ଼ିଶା ଆଜି “ପୂର୍ବୋଦୟର ପ୍ରବେଶପଥ” ଭାବରେ ଉଭା ହୋଇଛି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ବନ୍ଦର ଭିତ୍ତିକ ବିକାଶ ଏବଂ ବ୍ଲୁ ଇକୋନୋମି ହେଉଛି ଆମ ସରକାରଙ୍କ ପ୍ରମୁଖ ପ୍ରାଥମିକତା । ଅର୍ଥନୈତିକ କରିଡର କେବଳ ରାସ୍ତା ଓ ବନ୍ଦର ନୁହେଁ, ଏହା ଶକ୍ତି, ତଥ୍ୟ, ଆର୍ଥିକ ଏବଂ ବିଚାରର ପ୍ରବାହକୁ ମଧ୍ୟ ଦର୍ଶାଉଛି । ବର୍ତ୍ତମାନ ସମୟରେ ପୂର୍ବ ଭାରତ ଦ୍ରୁତ ଗତିରେ ଏକ ରଣନୈତିକ ଶକ୍ତି କରିଡର ଭାବରେ ଉଭା ହେଉଛି । ଆଜି ଭାରତରେ ୯,୩୦୦ କିଲୋମିଟରରୁ ଅଧିକ ପେଟ୍ରୋଲିୟମ ଏବଂ ଉତ୍ପାଦ ପାଇପଲାଇନ କାର୍ଯ୍ୟକ୍ଷମ ଅଛି । ଏହି ପାଇପଲାଇନଗୁଡ଼ିକ ପାରାଦୀପ, ଧାମରା, ହଳଦିଆ ଏବଂ ଭାଇଜାଗ ବନ୍ଦର ସହିତ ମିଶି ଅଶୋଧିତ ତୈଳ, ଏଲଏନଜି ଏବଂ ପେଟ୍ରୋକେମିକାଲ୍ ବାଣିଜ୍ୟ ପାଇଁ ଶକ୍ତିଶାଳୀ ପ୍ରବେଶପଥ ପାଲଟିଛନ୍ତି । ଏହି ସମନ୍ୱିତ ନେଟୱର୍କ ଶକ୍ତି ନିରାପତ୍ତାକୁ ମଜବୁତ କରିବା ସହ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରୁଛି । ବିଶ୍ୱ ନିବେଶକମାନଙ୍କ ପାଇଁ ଏହି ଆକର୍ଷଣର କେନ୍ଦ୍ର ହୋଇଛି, ଯାହା ଭାରତର ପୂର୍ବ ଉପକୂଳ ଏବଂ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ ଶକ୍ତି ଭାଗିଦାରୀ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି କରୁଛି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ସ୍ଥାୟୀତ୍ୱ ବା ସଷ୍ଟେନବିଲିଟି ହେଉଛି ଅନ୍ୟ ଏକ ପ୍ରମୁଖ ଧ୍ୟାନ କ୍ଷେତ୍ର। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆମ ସରକାର ସ୍ଥାୟୀତ୍ୱ ଏବଂ ଜଳବାୟୁ ପରିବର୍ତ୍ତନର ଚିନ୍ତାଧାରାକୁ ସମାଧାନ କରିବା ପାଇଁ ବ୍ୟାପକ ନୀତିଗତ ହସ୍ତକ୍ଷେପ କରିଛନ୍ତି । ଆଗାମୀ କାଲିର ସବୁଜତା ପାଇଁ ସ୍ୱଚ୍ଛ ଶକ୍ତି କେବଳ ଏକ ବିକଳ୍ପ ନୁହେଁ, ଏହା ହେଉଛି ଏକମାତ୍ର ଉପାୟ । ପୂର୍ବୋଦୟ କେବଳ ଅଭିବୃଦ୍ଧି ବିଷୟରେ ନୁହେଁ- ଏହା ସବୁଜ ଅଭିବୃଦ୍ଧି ବିଷୟରେ ମଧ୍ୟ । ଆମେ ଭବିଷ୍ୟତର ରୂପାନ୍ତର ପାଇଁ ପଥ ପ୍ରସ୍ତୁତ କରୁଛୁ, ଯାହା ସବୁଜ ହାଇଡ୍ରୋଜେନ୍, ଜୈବ ଇନ୍ଧନ, ସ୍ୱଳ୍ପ-କାର୍ବନ ରିଫାଇନିଂ ଏବଂ ସ୍ୱଚ୍ଛ ପେଟ୍ରୋକେମିକାଲ୍ସ ପୂର୍ବୋଦୟକୁ ସ୍ଥାୟୀ ବିକାଶ ସହିତ ସମନ୍ୱିତ କରୁଛି ।
ଯୁବ ସମ୍ବଳ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ପ୍ରଧାନ କହିଛନ୍ତି, ଭାରତର ବିଶ୍ୱସ୍ତରୀୟ ପ୍ରତିଭା ପାଇଁ ଆମର ଯୁବଗୋଷ୍ଠୀ ଭାରତର ଭବିଷ୍ୟତ ଗଠନ କରିବାର ସାମର୍ଥ୍ୟ ରଖିଛନ୍ତି । ପୂର୍ବୋଦୟ ରାଜ୍ୟଗୁଡ଼ିକ ସମୃଦ୍ଧ ମାନବ ସମ୍ବଳ ପାଇଁ ଜଣାଶୁଣା । ଆମର ସମ୍ଭାବନାକୁ ଉପଯୋଗ କରିବା ପାଇଁ ଶିକ୍ଷା ଏବଂ ଦକ୍ଷତା ହେଉଛି ଦୁଇଟି ମୁଖ୍ୟ ସ୍ତମ୍ଭ । ଏହି ଅଞ୍ଚଳରେ ଆଇଆଇଟି, ଏନଆଇଟି, ଆଇଆଇଏମ୍, ଆଇଜର, ନାଇଜର ଭଳି ଅନୁଷ୍ଠାନଗୁଡ଼ିକ ଅନ୍ୟାନ୍ୟ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଅଛି । ଏହି ଅନୁଷ୍ଠାନଗୁଡ଼ିକ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ମାନବ ସମ୍ବଳ ସୃଷ୍ଟି କରୁଛନ୍ତି, ଯାହା ଦେଶ ଗଠନରେ ଅବଦାନ ଦେଉଛି । ନିକଟରେ ଓଡ଼ିଶା ସରକାର ଏବଂ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି ନେଟୱର୍କ, ସିଙ୍ଗାପୁର ମଧ୍ୟରେ ସାମ୍ପ୍ରତିକ ସହଯୋଗ ଦେଶର ଯୁବବର୍ଗଙ୍କ ପାଇଁ ନୂଆ ସୁଯୋଗ ଆଣିଦେଇଛି ।
ଏହି ସମ୍ମିଳନୀକୁ ଭବିଷ୍ୟତ ପାଇଁ ଆଗାମୀ ପଥ ଉପରେ ଚିନ୍ତା କରିବାକୁ ପଡିବ । ଆମ ଯୁବକମାନଙ୍କୁ କିପରି ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଯିବ ? ଏହି ସମ୍ବଳ-ସମୃଦ୍ଧ ଅଞ୍ଚଳର ସମ୍ଭାବନାକୁ କିପରି ଉପଯୋଗ କରାଯାଇପାରିବ ? ଅଞ୍ଚଳର ବିକାଶରେ ଘରୋଇ କ୍ଷେତ୍ରକୁ କିପରି ଅଧିକ ସକ୍ରିୟ ଭାବରେ ଜଡିତ କରାଯାଇପାରିବ ? ଉପରେ ଆଲୋକପାତ କରିଛନ୍ତି ଶ୍ରୀ ପ୍ରଧାନ । ଶେଷରେ, ଏହି ଆନ୍ତର୍ଜାତୀୟ ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିଥିବାରୁ ଶ୍ରୀ ପ୍ରଧାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଟିଇଏଫ ଏବଂ ସିଆଇଆଇକୁ ପ୍ରଶଂସା କରିଛନ୍ତି ।