ପାରୋଲରେ ଯାଇ ଫେରିଲେନି କଏଦୀ

ସାରା‌ ରାଜ୍ୟରେ ୫୦ରୁ ଅଧିକ କଏଦୀ ଫେରାର, ତନାଘନା ଜାରି

ଭୁବନେଶ୍ୱର, ୧୯/୧୨: ପୁଣି ଜେଲ୍ ବିଭାଗର ଦାୟିତ୍ବହୀନତା ପଦାରେ ପଡ଼ିଛି। ପାରୋଲରେ ଯାଇ ଫେରି ନାହାନ୍ତି ଦୁଇ କଏଦୀ। ଭୁବନେଶ୍ୱରର ଝାରପଡ଼ା ଜେଲରେ ଥିବା ଦୁଇ ଜଣ କଏଦୀ ପାରୋଲରେ ମୁକ୍ତ ହେବା ପରେ ଆଉ ଫେରି ନାହାନ୍ତି। ଜେଲ୍ କର୍ତ୍ତୃପକ୍ଷ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ଦାଖଲ କରି ଦୁହିଁଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ଉଭୟ କଏଦୀଙ୍କୁ ପୂର୍ବରୁ ଥିବା ପାରୋଲ ବ୍ୟବସ୍ଥା ଅନୁଯାୟୀ ଛୁଟି ଦିଆଯାଇଥିଲା, କିନ୍ତୁ ମଞ୍ଜୁର ଅବଧି ଶେଷ ହେବା ପରେ ସେମାନେ ଫେରି ନଥିଲେ। ଫୁଲବାଣୀର ସୁଶୀଲ ଦିଗଲ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜା କାଟୁଥିବା ବେଳେ ଢେଙ୍କାନାଳର ରଞ୍ଜିତ ନାୟକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଛି।

ସୁଶୀଲ ବର୍ଷେ ହେବ ଫେରାର ଥିବା ବେଳେ ରଞ୍ଜିତ ଗତ ଅକ୍ଟୋବର ମାସଠାରୁ ଫେରାର୍ ରହିଛି। ସୁଶୀଲ ପୂର୍ବରୁ ଅନେକ ଥର ଛୁଟି ପରେ ଜେଲକୁ ଫେରିଥିଲେ। କିନ୍ତୁ ୨୦୨୪ ରେ ଛୁଟିରେ ଯିବା ପରେ ସେ ଆଉ ଫେରି ଆସି ନଥିଲେ। ଘଟଣାକୁ ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ, ସେ ଜେଲକୁ ଫେରି ନାହାଁନ୍ତି ଏବଂ କର୍ତ୍ତୃପକ୍ଷଙ୍କ ପାଖରେ ତାଙ୍କର ପତ୍ତା ସମ୍ପର୍କରେ କୌଣସି ସୂଚନା ନାହିଁ।

ଅନ୍ୟପକ୍ଷରେ, ରଞ୍ଜିତ ଅକ୍ଟୋବର ୧ ତାରିଖରେ ଛୁଟିରେ ଯାଇଥିଲେ ଏବଂ ମାସ ଶେଷ ସୁଦ୍ଧା ଫେରି ଆସିବାର ଆଶା କରାଯାଉଥିଲା। କିନ୍ତୁ ସେ ଦୁଇ ମାସରୁ ଅଧିକ ସମୟ ଧରି ଫେରି ନାହାଁନ୍ତି।

କେବଳ ଏତିକି ନୁହେଁ, ରାଜ୍ୟର ବିଭିନ୍ନ ଜେଲରୁ ଏହିଭଳି ୫୦ରୁ ଅଧିକ କଏଦୀ ଛୁଟିରେ ଯିବା ପରେ ଆଉ ଜେଲ ଫେରି ନାହାନ୍ତି। ଯାହା ଅତି ଚିନ୍ତାଜନକ ବିଷୟ।