ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଘୋର ଅଭାବ
ଅନ୍ତେବାସୀ ପ୍ରବଳ ଜାଡ ଓ ଶୀତରେ ବହୁ ଦୁଃଖ କଷ୍ଟ ପାଉଛନ୍ତି
ଛାତ୍ରାବାସ ଅଛି, କିନ୍ତୁ ନିଜସ୍ଵ ଗୃହ ନାହିଁ
ପାରଳାଖେମୁଣ୍ଡି, ୧୯/୧୨(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଠାରେ ଥିବା କୁଜାସିଂ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସୁବିଧା ସୁଯୋଗ ଓ ବ୍ୟବସ୍ଥା ନ ଥିବା ଯୋଗୁଁ ଅନ୍ତେବାସୀମାନେ ପ୍ରବଳ ଜାଡ ଓ ଶୀତରେ ବହୁ ଦୁଃଖ କଷ୍ଟ ପାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ବିଗତ ୧୯୮୯ ମସିହାରୁ ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ କୁଜାସିଂ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରେ ୪୦ଜଣ କୁନିକୁନି ଆଦିବାସୀ ଛାତ୍ର ରହୁଛନ୍ତି। କିନ୍ତୁ ଏହି ବିଦ୍ୟାଳୟରେ ଛାତ୍ରମାନଙ୍କ ପାଇଁ ନାହିଁ ଛାତ୍ରବାସ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ବ୍ୟବସ୍ଥା କରିଛନ୍ତି ସରକାର। କିନ୍ତୁ ଏଠାରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି। ଛାତ୍ରମାନେ ଦୟନୀୟ ଅବସ୍ଥାରେ ବର୍ଷ ବର୍ଷ ଧରି ସମସ୍ୟା ଦେଇ ଗତି କରୁଛନ୍ତି। ଛାତ୍ରମାନେ ଶୀତ କାକରରେ ଛାତ୍ରାବାସର ନିଜସ୍ବ ଗୃହ ନଥିବାରୁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ କକ୍ଷରେ ରାତ୍ରୀଯାପନ କରୁଛନ୍ତି। ପ୍ରବଳ ଜାଡ ଓ ଥଣ୍ଡାରେ ବିନା ଖଟ, ଗଦିରେ ଚଟାଣ ଉପରେ ଛପା ପାରି ଶୋଇବାବାକୁ ବାଧ୍ୟ ହେଉଛନ୍ତି। ସରକାର ଛାତ୍ରଙ୍କ ପାଇଁ ଖଟ ଦେଇଛନ୍ତି ସତ କିନ୍ତୁ ୪୦ ପିଲାଙ୍କ ପାଇଁ ୨୦ଟି ଖଟ ଗୋଦାମ ଗୃହରେ ପଡି ଖତ ଖାଉଛି ବାକି ୨୦ଟି ଖଟ କୁଆଡ଼େ ଅଦୃଶ୍ୟ ହୋଇଛି ବୋଲି ଜଣାପଡିଛି। ସେହିପରି ଗୋଦାମ ଗୃହରେ ଚାଉଳ, ଖଟ, ଗଦି, ଗ୍ରାଇଣ୍ଡର, ଓ୍ବାସିଙ୍ଗ ମେସିନ, ଟିଭି ସହ ଛାତ୍ରାବାସ ଅଧ୍ୟକ୍ଷଙ୍କ ରହଣି ସ୍ଥାନ ପାଲଟିଛି। ସ୍କୁଲ ଆରମ୍ଭ ହେଲେ ଯଦି କୌଣସି ଅନ୍ତେବାସିଙ୍କ ଦେହ ଖରାପ ହୁଏ ଗୋଦାମ ଘର ହିଁ ସାହାଭରସା ହୋଇଛି। କାରଣ ନିଜସ୍ବ କୋଠା ନଥିବାରୁ ଛାତ୍ରଙ୍କୁ ରହିବା ପାଇଁ ସ୍ଥାନ ନାହିଁ। ବିଦ୍ୟାଳୟରେ ଭଲ ରୋଷେଇ ଘର ନଥିବା ବେଳେ ଝାଟି ମାଟି ଘରେ ପିଲାଙ୍କ ପାଇଁ ରୋଷେଇ ପ୍ରସ୍ତୁତ କରିବା ସହ ଖୋଲା ପଡ଼ିଆରେ ଖାଇବାକୁ ପଡୁଛି। ଏଭଳି ଅବ୍ୟବସ୍ଥା ମଧ୍ୟରେ ୪୦ ଜଣ ଛାତ୍ର କୁଜାସିଂ ପ୍ରାଥମିକ ବିଦ୍ୟାଳୟରେ ଅନ୍ତେବାସୀ ଭାବେ ଶୀତ କାକରରେ ଅସରନ୍ତି ଦୁଃଖ ଯନ୍ତ୍ରଣା ପାଉଛନ୍ତି। ଜିଲ୍ଲା ପ୍ରଶାସନ ଘଟଣା ସମ୍ପର୍କରେ ଜାଣିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।