ଆଜିଠୁ ଆରମ୍ଭ କାର୍ତ୍ତିକ ବ୍ରତ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ବର୍ଷରେ ଆସୁଥିବା ପ୍ରତ୍ୟେକ ମାସର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଥାଏ । ଏହି ସବୁ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ ହେଉଛି କାର୍ତ୍ତିକ ମାସ ।

କାର୍ତ୍ତିକ ମାସରେ ବ୍ରତ ପାଳନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ହିନ୍ଦୁ ମାନଙ୍କର ବିଶ୍ୱାସ ରହିଛି । ଏଥିପାଇଁ ପୁରୀରେ ହବିଷ୍ୟାଳିମାନଙ୍କ ଭିଡ ଜମିଛି । ହଜାର ହଜାର ସଂଖ୍ୟାର ହବିଷ୍ୟାଳି ପୁରୀର ମଠ ବାଡି ଏବଂ ହବିଷ୍ୟାଳି ଶିବିର ପାଖରେ ଭିଡ ଜମାଇଛନ୍ତି । କାର୍ତ୍ତିକ ମାସ ଆରମ୍ଭ ହୋଇଥିବାରୁ ହବିଷ୍ୟାଳିମାନେ ମାସେ ଯାଏଁ ବ୍ରତ ରଖିବେ । ପୁରାଣରେ କାର୍ତ୍ତିକ ମାସର ମାହାତ୍ମ୍ୟ ବର୍ଣ୍ଣନା ହୋଇଛି ।

୫ଟି ସ୍ଥାନରେ ୩ହଜାର ହବିଷ୍ୟାଳୀଙ୍କ ରହଣି ବ୍ୟବସ୍ଥା କରାଯାଇଥିଲେ ହେଁ ଆଶାୟୀଙ୍କ ସଂଖ୍ୟା ଦୁଇଗୁଣା ଟପିଛି। ତେଣୁ ହବିଷ୍ୟାଳୀ ଓ ପ୍ରଶାସନକୁ ହଟହଟା ହେବାକୁ ପଡ଼ିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରତଧାରୀ ୩ ହଜାର ହବିଷ୍ୟାଳୀଙ୍କ ପାଇଁ ଆବାସ ସହ ଖାଦ୍ୟପେୟର ବନ୍ଦୋବସ୍ତ କରାଯାଇଛି ।

ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା, ମୋଚିସାହିସ୍ଥିତ ପୌରସଂସ୍ଥା କଲ୍ୟାଣ ମଣ୍ଡପ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ ମଧ୍ୟରେ ରହଣି ବ୍ୟବସ୍ଥା କରାଯାଇଛି । ମାତ୍ର ବହୁ ହବିଷ୍ୟାଳୀ ବିନା ପଞ୍ଜୀକରଣରେ ଆସି ରହିବା ପାଇଁ ଦାବି କରିବା ପରେ ପ୍ରଶାସନ ସମସ୍ୟାରେ ପଡ଼ିଛି ।