ଆଜିର ତାରିଖ ୨୬ ଡିସେମ୍ବର ୨୦୨୫
ବୀର ବାଲ ଦିବସ:- ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ର ସାହିବଜାଦା ଜୋରୱାର ସିଂ ଏବଂ ସାହିବଜାଦା ଫତେହ ସିଂଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ପାଇଁ ବୀର ବାଲ ଦିବସ ପାଳନ କରାଯାଇଥାଏ। ୨୦୨୨ ମସିହା ଜାନୁଆରୀ ୯ ତାରିଖରେ ଗୁରୁ ଗୋବିନ୍ଦ ସିଂଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଡିସେମ୍ବର ୨୬ ତାରିଖକୁ ବୀର ବାଲ ଦିବସ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଗୁରୁ ଗୋବିନ୍ଦ ସିଂ ହେଉଛନ୍ତି ୧୦ମ ଶିଖ୍ ଗୁରୁ। ଆଜିର ଦିନରେ ପଞ୍ଜାବର ସରହିନ୍ଦରେ ମୋଗଲ ସେନା ଗୁରୁ ଗୋବିନ୍ଦଜ ସିଂଙ୍କ ପୁତ୍ର ସାହିବଜାଦା ଜୋରୱାର ସିଂ ଏବଂ ସାହିବଜାଦା ଫତେହ ସିଂଙ୍କୁ ହତ୍ୟା କରିଥିଲେ। ସେତେବେଳେ ସାହିବଜାଦା ଜୋରୱାର ସିଂଙ୍କୁ ୬ ବର୍ଷ ହୋଇଥିବା ବେଳେ ସାହିବଜାଦା ଫତେହ ସିଂଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିଲା। ମୋଗଲ ସେନା ସେମାନଙ୍କୁ ବନ୍ଦୀ କରିବା ସହିତ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରିଥିଲେ। କିନ୍ତୁ ସେମାନେ ଧର୍ମ ପରିବର୍ତ୍ତନ କରିବେ ନାହିଁ ବୋଲି କହିଥିଲେ। ଯାହାପରେ ମୋଗଲ ସେନା ସେମାନଙ୍କୁ ଜୀବନ୍ତ କବର ଦେଇଥିଲା। ତେଣୁ ଉଭୟଙ୍କ ବଳିଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଜିର ଦିନକୁ ‘ବୀର ବାଲ ଦିବସ’ ଭାବେ ପାଳନ କରାଯାଉଛି।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ଉଧମ ସିଂହ (୨୬ ଡିସେମ୍ବର ୧୮୯୯ – ୩୧ ଜୁଲାଇ ୧୯୪୦), ପଞ୍ଜାବର ଜଣେ ମହାନ ବିପ୍ଳବୀ ଥିଲେ ଯିଏ ଭାରତର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଅମର ସହିଦ ଉଧମ ସିଂହ ୧୩ ଏପ୍ରିଲ ୧୯୧୯ରେ ଲଣ୍ଡନରେ ପଞ୍ଜାବର ଭୟଙ୍କର ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ପାଇଁ ଦାୟୀ ମାଇକେଲ ଓ’ଡ୍ୱାୟାରଙ୍କୁ ଗୁଳି କରି ହତ୍ୟା କରି ନିର୍ଦ୍ଦୋଷ ଭାରତୀୟ ଲୋକଙ୍କ ମୃତ୍ୟୁର ପ୍ରତିଶୋଧ ନେଇଥିଲେ।
୨. ନୌଶାଦ ଅଲ୍ଲୀ (୨୫ ଡିସେମ୍ବର ୧୯୧୯ – ୫ ମଇ ୨୦୦୬), ଜଣେ ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର ସଂଗୀତକାର ଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ରଚନା କରିବାର ୬୪ ବର୍ଷ ପରେ ମଧ୍ୟ, ନୌଶାଦ କେବଳ ୬୭ଟି ଚଳଚ୍ଚିତ୍ର ପାଇଁ ସଂଗୀତ ରଚନା କରିଥିଲେ।
୩. ତାରକ ମେହେତା (୨୬ ଡିସେମ୍ବର ୧୯୨୯ – ୧ ମାର୍ଚ୍ଚ ୨୦୧୭), ଜଣେ ଭାରତୀୟ ଲେଖକ। ସେ ଅନେକ ପ୍ରକାରର ହାସ୍ୟରସ କାହାଣୀକୁ ଗୁଜୁରାଟୀରେ ଅନୁବାଦ ମଧ୍ୟ କରିଥିଲେ। ତାରକ ମେହେତାଙ୍କ ସାପ୍ତାହିକ ଲେଖା ପ୍ରଥମେ ମାର୍ଚ୍ଚ ୧୯୭୧ରେ ‘ଚିତ୍ରଲେଖା’ ନାମକ ଏକ ସାପ୍ତାହିକ ଖବରକାଗଜରେ ପ୍ରକାଶିତ ହୋଇଥିଲା। ତାରକ ମେହେତାଙ୍କୁ ୨୦୧୫ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ଜାହିର ଉଦ୍-ଦିନ ମହମ୍ମଦ ବାବର (୧୪ ଫେବୃଆରୀ ୧୪୮୩ – ୨୬ ଡିସେମ୍ବର ୧୫୩୦), ଭାରତୀୟ ଇତିହାସରେ ପ୍ରସିଦ୍ଧ ବାବର ଜଣେ ମୋଗଲ ଶାସକ ଥିଲେ। ସେ ଭାରତରେ ମୋଗଲ ରାଜବଂଶର ପ୍ରତିଷ୍ଠାତା ଥିଲେ। ୧୫୨୬ ଖ୍ରୀଷ୍ଟାବ୍ଦରେ ପାନିପତର ପ୍ରଥମ ଯୁଦ୍ଧରେ ଦିଲ୍ଲୀ ସଲତାନତ (ଲୋଦି ରାଜବଂଶ)ର ଶେଷ ରାଜବଂଶର ସୁଲତାନ ଇବ୍ରାହିମ୍ ଲୋଦିଙ୍କ ପରାଜୟ ସହିତ, ଭାରତରେ ମୋଗଲ ରାଜବଂଶ ପ୍ରତିଷ୍ଠିତ ହୋଇଥିଲା। ଏହି ରାଜବଂଶର ପ୍ରତିଷ୍ଠାତା ଜାହିର ଉଦ୍-ଦିନ ମହମ୍ମଦ ବାବର ଥିଲେ। ବାବରଙ୍କ ପିତା ଉମର ଶେଖ ମିର୍ଜା ଫର୍ଗାନାର ଶାସକ ଥିଲେ।
୨. ଭୂପେନ୍ଦ୍ର ନାଥ ଦତ୍ତ (୪ ସେପ୍ଟେମ୍ବର ୧୮୮୦ – ୨୬ ଡିସେମ୍ବର ୧୯୬୧), ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ପ୍ରସିଦ୍ଧ ବିପ୍ଳବୀ, ଲେଖକ ଏବଂ ସମାଜବିଜ୍ଞାନୀ ଥିଲେ। ସେ ସ୍ୱାମୀ ବିବେକାନନ୍ଦଙ୍କ ଭାଇ ଥିଲେ। ଭୂପେନ୍ଦ୍ରନାଥ ଦତ୍ତ ତାଙ୍କ ଯୁବାବସ୍ଥାରେ ‘ଯୁଗାନ୍ତର ଆନ୍ଦୋଳନ’ ସହିତ ଦୃଢ଼ ଭାବରେ ଜଡିତ ଥିଲେ। ଗିରଫ ହେବା (୧୯୦୭) ପର୍ଯ୍ୟନ୍ତ ସେ ‘ଯୁଗାନ୍ତର ପତ୍ରିକା’ର ସମ୍ପାଦକ ଥିଲେ। ଭୂପେନ୍ଦ୍ରନାଥ ଦୁଇଥର ‘ଅଖିଳ ଭାରତୀୟ ଶ୍ରମିକ ସଂଘ’ର ସଭାପତି ମଧ୍ୟ ଥିଲେ।
୩. ଗୋପୀ ଚାନ୍ଦ ଭାର୍ଗବ (୮ ମାର୍ଚ୍ଚ ୧୮୮୯ – ୨୬ ଡିସେମ୍ବର ୧୯୬୬), ସଂଯୁକ୍ତ ପଞ୍ଜାବର ପ୍ରଥମ ମୁଖ୍ୟମନ୍ତ୍ରୀ। ସେ ‘ଗାନ୍ଧୀ ସ୍ମାରକୀ ପାଣ୍ଠି’ର ପ୍ରଥମ ସଭାପତି, ଗାନ୍ଧୀବାଦୀ ନେତା ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ସହିତ ଦେଶର ସ୍ୱାଧୀନତା ସଂଗ୍ରାମ ମଧ୍ୟ ଲଢ଼ିଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୯୦୪ – ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଦେଶର ପ୍ରଥମ କ୍ରସ୍-କଣ୍ଟ୍ରି ମୋଟରକାର ରାଲି ଉଦ୍ଘାଟିତ ହୋଇଥିଲା।
୧୯୨୫ – ତୁର୍କୀରେ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଗ୍ରହଣ କରାଯାଇଥିଲା।
୧୯୨୫ – ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠା ହୋଇଥିଲା।
୧୯୭୭ – ସୋଭିଏତ୍ ୟୁନିଅନ୍ ପୂର୍ବ କାଜାଖ ଅଞ୍ଚଳରେ ପରମାଣୁ ପରୀକ୍ଷଣ କରିଥିଲା।
୧୯୭୮ – ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା।
୨୦୧୨ – ଚୀନର ରାଜଧାନୀ ବେଜିଂରୁ ଗୁଆଙ୍ଗଝୁ ସହର ପର୍ଯ୍ୟନ୍ତ ନିର୍ମିତ ବିଶ୍ୱର ସବୁଠାରୁ ଦୀର୍ଘ ହାଇ-ସ୍ପିଡ୍ ରେଳପଥ ଏହି ଦିନ ଖୋଲା ଯାଇଥିଲା।