ପୁଣି ଥରେ ଡରାଇବ ଅକ୍ଟୋବର

ଭୁବନେଶ୍ଵର: ବଢୁଛି ବାତ୍ୟା ଆଶଙ୍କା । ଭୟ ବଢାଉଛି ତୃତୀୟ ସପ୍ତାହରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ। ବାତ୍ୟା ସମ୍ଭାବନାକୁ ସ୍ପଷ୍ଟ କରୁଛି ଗ୍ଲୋବାଲ ଫୋରକାଷ୍ଟିଂ ସିଷ୍ଟମ ବା ଜିଏଫଏସ୍ । ଗ୍ରାଫିକ୍ସ ଅନୁସାରେ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ଘୁର୍ଣ୍ଣିବଳୟ ଘନୀଭୁତ ହୋଇ ବାତ୍ୟାର ରୂପ ନେବ । ବାତ୍ୟାର ପ୍ରଭାବ ଓଡ଼ିଶା, ଆନ୍ଧ୍ର ଉପକୂଳରେ ଅଧିକ ପଡିବ ।

ଏପରିକି ଏହା ସୁପର ସାଇକ୍ଳୋନର ରୂପ ନେଇପାରେ। ଜିଏଫଏସ୍‌ର ଆକଳନ ପୂର୍ବରୁ ଅଧିକାଂଶ ସଠିକ୍ ହୋଇଛି ଏବଂ ଏହା ମଧ୍ୟ ସଠିକ୍ ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ସେପଟେ ଗତ କାଲି ରାତିରେ ଚଳିତ ମାସର ପ୍ରଥମ ଘନ କୁହୁଡି ଅନୁଭୁତ ହୋଇଥିବା ବେଳେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅକ୍ଟୋବରରେ ହେବ କି ସୁପର ସାଇକ୍ଳୋନ୍ ? ଘନୀଭୁତ ହେବ କି ଘୂର୍ଣ୍ଣିବଳୟ ? ଠିକ୍ ହେବ କି ଜି.ଏଫ.ଏସ ମଡେଲର ଆକଳନ ? ଯଦି ବାତ୍ୟା ହୁଏ ତେବେ କେଉଁଠି ପଡିବ ପ୍ରଭାବ ? ଓଡ଼ିଶା, ଆନ୍ଧ୍ର ନା ପଶ୍ଚିମ ବଙ୍ଗ  ହେବ ପ୍ରଭାବିତ ! ନା କେବଳ  ଲଘୁଚାପ ହୋଇ ଦୁର୍ବଳ ହେବ ? ଅକ୍ଟୋବର ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ଆଇଏମଡି, ଜିଏଫଏସ୍ ଏବଂ ୟୁରୋପିଆନ୍ ମଡେଲ ଆକଳନ କରିବା ପରେ ଏବେ ଏମିତି ଅନେକ ଆଶଙ୍କା ସୃଷ୍ଟି ହୋଇଛି  ।