ପଟିଆରୁ ୧ ଏକର ଜମି ଜବରଦଖଲମୁକ୍ତ

ଏକାଧିକ ଛାତ ଓ ଆଜବେଷ୍ଟସ ଘର ଉଚ୍ଛେଦ

ଭୁବନେଶ୍ୱର, ୦୨/୦୧: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ପଟିଆ ମୌଜା ଅନ୍ତର୍ଗତ ସରକାରୀ ପ୍ଲଟ ନମ୍ବର ୫୧୮ରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ବାକିଥିବା ଉଚ୍ଛେଦ ପାଇଁ ଆହୁରି ସମୟ ଲାଗିବ। ତୃତୀୟ ଦିନରେ ଉଚ୍ଛେଦରେ ୧୩ଟି ଆଜବେଷ୍ଟସ ଘର, ଗୋଟିଏ ଲୁହା ଗେଟ ଓ ଗୋଟିଏ ଛାତ ଘର ସହିତ ୧୦ ଫୁଟ ଲମ୍ବର ପାଚେରୀ ଭଙ୍ଗାଯାଇଥିଲା। ପ୍ରାୟ ୨୦୦ ଡିସିମିଲ ଜମିକୁ ଜବରଦଖଲମୁକ୍ତ କରାଯାଇଥିଲା। ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ ଅଫିସର (ଓଏସଡି) ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଉପସ୍ଥିତ ଥିଲେ।

ତିନି ଦିନରେ ମୋଟ ୫ଟି ଛାତ ଘର, ୪୫ଟି ଆଜବେଷ୍ଟସ ଘର, ୧୧ଟି ଶୌଚାଳୟ, ଏକାଧିକ ଲୁହା ଗେଟ୍ ସହିତ ପାଣି ଟାଙ୍କି ଓ ପଚେରୀକୁ ମାଟିରେ ମିଶାଇ ଦିଆଯାଇଛି। ଏବେ ସୁଦ୍ଧା ସମୁଦାୟ ୧ ଏକର ସରକାରୀ ଜମିକୁ ଜବରଦଖଲମୁକ୍ତ କରାଯାଇଛି। ସମୟ ଅଭାବରୁ ବାକି ଥିବା ଉଚ୍ଛେଦ ଆସନ୍ତାକାଲି(ଶନିବାର) ଜାରି ରହିବ।

ଜବରଦଖଲକାରୀ ସରକାରୀ ଜମିରେ ଏକାଧିକ ଛାତ ଓ ଆଜବେଷ୍ଟସ ଘର ବି ଛିଡ଼ା କରିଛନ୍ତି। ଦୀର୍ଘ ଦିନ ଧରି ସେଠାରେ ଜୋରଜବରଦସ୍ତ ରହିଆସୁଛନ୍ତି। କେତେକ ବ୍ଯକ୍ତି ଘର ନିର୍ମାଣ କରି ଭଡ଼ା ସୂତ୍ରରେ ଲଗାଇଛନ୍ତି। ବିଡିଏ ପକ୍ଷରୁ ଏପର୍ଯ୍ଯନ୍ତ ମୋଟ ୧ ଏକର ସରକାରୀ ଜମିକୁ ଜବରଦଖଲମୁକ୍ତ କରାଯାଇଛି।